ବିଶ୍ବ ପ୍ରସିଦ୍ଧ ଶିମିଳିପାଳକୁ ଏବେ ବି ମିଳିନି ପୂର୍ଣ୍ଣାଙ୍ଗ ଜାତୀୟ ଉଦ୍ୟାନ ମାନ୍ୟତା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଶ୍ବ ପ୍ରସିଦ୍ଧ ଶିମିଳିପାଳକୁ ବର୍ତ୍ତମାନ ସୁଦ୍ଧା ମିଳିନି ପୂର୍ଣ୍ଣାଙ୍ଗ ଜାତୀୟ ଉଦ୍ୟାନ ମାନ୍ୟତା। ଏବେ ବି ପ୍ରସ୍ତାବିତ ଅଞ୍ଚଳରେ ରହିଛନ୍ତି ୨ ଗ୍ରାମର ୬୪ ପରିବାର। ରାଜ୍ୟ ସରକାରଙ୍କ ନୋଟିଫିକେସନ୍‌ ନଂ ୧୮୭୦୩-୬/୮/୮୦ ଏବଂ ୧୯୨୫ -୧୧/୬/୧୯୮୬ ଅନୁସାରେ ଶିମିଳିପାଳ ଅଭୟାରଣ୍ୟର ମୋଟ ୨୩୦୬. ୬୧ ବର୍ଗ କିମି ମଧ୍ୟରୁ ୮୪୫. ୭୦ ବର୍ଗ କିମି ଅଞ୍ଚଳକୁ ପ୍ରସ୍ତାବିତ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରାଯାଇଛି। କିନ୍ତୁ ଜାତୀୟ ଉଦ୍ୟାନ ପାଇଁ ପ୍ରସ୍ତାବିତ ହୋଇଥିବା ଅଞ୍ଚଳରୁ ବିସ୍ଥାପନ ପ୍ରକ୍ରିୟା ସମାପ୍ତ ହୋଇପାରିନାହିଁ , ଫଳରେ ଶିମିଳିପାଳକୁ ପୂର୍ଣ୍ଣାଙ୍ଗ ଜାତୀୟ ଉଦ୍ୟାନ ମାନ୍ୟତା ମିଳିବା ପ୍ରକ୍ରିୟା ବିଳମ୍ବିତ ହୋଇଛି। ମଙ୍ଗଳବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

ଜାତୀୟ ଉଦ୍ୟାନ ଘୋଷଣା ନେଇ ରହିଥିବା ମାନଦଣ୍ଡ ଆଦିକୁ ନେଇ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, କୌଣସି ସ୍ଥାନ ବା ଅଭୟାରଣ୍ୟକୁ ଜାତୀୟ ଉଦ୍ୟାନ ଘୋଷଣା କରିବା ପାଇଁ ଉକ୍ତ ସ୍ଥାନ ସମ୍ପୂର୍ଣ୍ଣ ଜନବସତି ଓ ଗୃହପାଳିତ ପଶୁ ଶୂନ୍ୟ ତଥା ସେମାନଙ୍କ ବିଚରଣରୁ ସମ୍ପୂର୍ଣ୍ଣ ମୁକ୍ତ ହେବା ଆବଶ୍ୟକ। କିନ୍ତୁ ଶିମିଳିପାଳର ପ୍ରସ୍ତାବିତ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ଗ୍ରାମ ଓ ଜନବସତି ରହିଛି।

ତେଣୁ ଜାତୀୟ ଉଦ୍ୟାନ ଘୋଷଣା ନେଇ ରହିଥିବା ମାନଦଣ୍ଡ ପୂରଣ ହୋଇ ପାରୁନାହିଁ। ଶିମିଳିପାଳ ଅଭୟାରଣ୍ୟର କୋର୍‌ ଏରିଆ ଭିତରେ ଅବସ୍ଥିତ ୬ଟି ଗ୍ରାମ ମଧ୍ୟରୁ ଜେନାବିଲ, ଯମୁନାଗଡ଼, କବାଟଘାଇ ଓ ବକୁ୍ଆ ଗାଁ ରାଜସ୍ବ ଗ୍ରାମ ହୋଇଥିବା ବେଳେ ବାରହାକାମୁଡ଼ା ଓ ବାହାଘର ଗ୍ରାମ ଦୁଇଟି ବନ୍ଦୋବସ୍ତ ଗାଁ ଥିଲା। ଜେନାବିଲ, କବାଟଘାଇ, ବାରହା କାମୁଡ଼ା ଓ ବାହାଘର ଗ୍ରାମ ସମ୍ପୂର୍ଣ୍ଣ ଭାବେ ସ୍ଥାନାନ୍ତରିତ କରାଯାଇଛି। ସେହିପରି ଯମୁନାଗଡ଼ ଗାଁର ୪୬ଟି ପରିବାରକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଏବେ ବି ଶିମିଳିପାଳ କୋର ଏରିଆର ବକୁଆ ଓ ଯମୁନାଗଡ଼ ଭଳି ୨ଟି ଗ୍ରାମର ୬୪ ପରିବାର ସେଠାରେ ବସବାସ କରୁଛନ୍ତି। ଏଥିମଧ୍ୟରୁ ବକୁଆ ଗ୍ରାମର ୬୧ ପରିବାର ଥିବା ବେଳେ ଯମୁନାଗଡ଼ ଗ୍ରାମର ୩ ପରିବାର ସେଠାରେ ଜନ ବସତି ସ୍ଥାପନ କରି ବସବାସ କରୁଛନ୍ତି। ଏହି ଦୁଇଟି ଗ୍ରାମର ସମସ୍ତ ବାସିନ୍ଦା ସ୍ଥାନାନ୍ତରିତ ହେବା ପରେ ଶିମିଳିପାଳକୁ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରା ଯାଇପାରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ସେଠାରେ ରହୁଥିବା ପରିବାର ଲୋକଙ୍କୁ ସ୍ଥାନାନ୍ତରଣ କରିବା ଏତେ ସହଜ ନୁହେଁ। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ), ଭାରତ ସରକାରଙ୍କ ନିୟମ ଅନୁସାରେ ଶିମିଳିପାଳ କୋର୍‌ ଏରିଆରେ ବସବାସ କରୁଥିବା ପ୍ରତ୍ୟେକ ପରିବାର ସ୍ବଇଚ୍ଛାରେ ସ୍ଥାନାନ୍ତରଣ ପାଇଁ ଲିଖିତ ଭାବେ ଜଣାଇବା ପରେ ଗ୍ରାମସଭାର ଅନୁମୋଦନ ପରେ ଏନଟିସିଏ ପ୍ୟାକେଜ୍‌ ଅନୁସାରେ ସେଠାରୁ ଲୋକଙ୍କୁ ସ୍ବେଚ୍ଛାକୃତ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା ରହିଛି। ତେଣୁ ଏ ସମ୍ପର୍କରେ ଜନ ସଚେତନତା ଜାରି ରହିଥିବା ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି।

Related Posts