ଖାଲି ପଡିଛି ହିନ୍ଦୀ, ସଂସ୍କୃତ ଓ କ୍ରୀଡା ଶିକ୍ଷକ ପଦ ; ନିଯୁକ୍ତି ଦାବିରେ ରାଜଧାନୀ ରାଜରାସ୍ତାରେ କାନ ଧରି ଆଣ୍ଠେଇଲେ ଆଶାୟୀ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଓଏସଏସଟିଇଟି ପରୀକ୍ଷାରେ ପାସ୍ କରିଥିବା ଟ୍ରେଣ୍ଡ ଯୁବକ ଯୁବତୀ ନିଯୁକ୍ତି ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ତୁରନ୍ତ ବିଜ୍ଞାପନ ପ୍ରକାଶ କରି ନିଯୁକ୍ତି ଦେବା ଦାବିରେ ଆଜି ରାଜଧାନୀ ରାଜରାସ୍ତାରେ ଆଣ୍ଠେଇ ଓ କାନ ଧରି ଧାରଣା ଦେଇଛନ୍ତି ଶିକ୍ଷିତ ଏବଂ ଟ୍ରେଣ୍ଡ ଯୁବକ ଯୁବତୀ ।

ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ହିନ୍ଦୀ, ସଂସ୍କୃତ ଓ କ୍ରୀଡା ଶିକ୍ଷକ ପଦ ଖାଲି ପଡିଛି। ଆନ୍ଦୋଳନକାରୀ ଯୁବକ ଯୁବତୀଙ୍କ ଅଭିଯୋଗ ଅନୁସାରେ ଦୀର୍ଘ ୭ବର୍ଷ ଧରି ବିଭିନ୍ନ ସମୟରେ ସେମାନେ ଧାରଣା ଦେଇ ଅଭିଯୋଗ ଜଣାଉଛନ୍ତି, କିନ୍ତୁ ସରକାର ନିଯୁକ୍ତି ଦେଉ ନାହାନ୍ତି।

ଦୀର୍ଘ ଦିନର ଆନ୍ଦୋଳନ ପରେ ବିଭାଗ ୪ହଜାର ୪୪୫ ହିନ୍ଦୀ, ସଂସ୍କୃତ ଏବଂ କ୍ରୀଡ଼ା ଶିକ୍ଷକ ନିଯୁକ୍ତି ପାଇଁ ଅର୍ଥ ମଂଜୁର କଲେ । ଅଭିଯୋଗ ଅନୁଯାୟୀ ଆସନ୍ତା ୪ ମାସ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଶେଷ କରି ନୂତନ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ବିଭାଗ ପକ୍ଷରୁ ଆଶ୍ବସନା ଦିଆଗଲା ।

କିନ୍ତୁ ପ୍ରତିଶ୍ରୁତି ଦେବାର ୭ ମାସ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ । ତେବେ ଏନେଇ ଦାବି କରି ଯୁବକ ଯୁବତୀ ମାନେ କହିଛନ୍ତି ଯେ ଏହି ପଦବୀ ପାଇଁ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯାଉ ।

ଏହା ସହ ସଂରକ୍ଷଣ ସିଟ ଗୁଡିକ ଖାଲି ପଡିଲେ କିମ୍ବା ଅପୂରଣ ହେଲେ ତାହାକୁ ସମ୍ପୂର୍ଣ୍ଣ ଭାବରେ ପୂରଣ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଯଦି ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ଏହି ଟ୍ରେଣ୍ଡ ଯୁବକ ଯୁବତୀ ମାନେ ଚେତାବନୀ ଦେଇଛନ୍ତି।

Related Posts