ନବମୀ ଓ ଦଶମୀ ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା । ସବୁ ଆଶା ଓ ଉତ୍ସାହକୁ ପାଣିଚିଆ କରିଦେବ ପାଣିପାଗ । ଏମିତିକି ଆସନ୍ତା ନବମୀ ଓ ଦଶମୀ ଦିନ ପ୍ରବଳ ବର୍ଷା ହୋଇପାରେ । କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟରପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଲା, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଆସନ୍ତା ୩ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ । ଆନ୍ଧ୍ର ଉପକୂଳର କ୍ରମଶଃ ନିକଟତର ହେବ । ୬ରେ ଆନ୍ଧ୍ର ଦେଇ ଉତ୍ତର ପଶ୍ଚିମ ଦିଗରେ ଗୁଜରାଟ ଆଡ଼କୁ ଗତି କରିପାରେ ।

ଏହାର ପ୍ରଭାବରେ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିକ୍ଷିପ୍ତ ହାଲୁକାରୁ ସ୍ୱଳ୍ପ (୫ରୁ ୨୦ ମିମି) ବର୍ଷା ସମ୍ଭାବନା ଅଛି । ୩ ତାରିଖରେ ବର୍ଷା ବଢ଼ିବ । ୪ରୁ ୬ ତାରିଖ (ନବମୀରୁ ଭସାଣି) ପର୍ଯ୍ୟନ୍ତ ଉପକୂଳରେ ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ମଧ୍ୟମରୁ ଭାରି ବର୍ଷା ହୋଇପାରେ । ସୀମାନ୍ତବର୍ତ୍ତୀ ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପ ଓ ବାକି ଆଭ୍ୟନ୍ତରୀଣରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ମହାନବମୀ ଓ ଦଶମୀରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ପୁରୀ, ପାରାଦୀପ, ଭଦ୍ରକ, ବାଲେଶ୍ୱର, ବାରିପଦାରେ ଭାରି ବର୍ଷା ସମ୍ଭାବନା ଅଛି । ୭ ଓ ୮ରେ ବିକ୍ଷିପ୍ତ ବର୍ଷା ହେବ । ଅକ୍ଟୋବର ୮ରେ ଦକ୍ଷିଣ ପଶ୍ଚିମ

ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପଛକୁ ଆହୁରି ଗୋଟିଏ ଘୂର୍ଣ୍ଣିବଳୟ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବା ସମ୍ଭାବନା ରହିଛି ।

ଫଳରେ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ (୧୨ରୁ ୧୫ ତାରିଖ) ରାଜ୍ୟରେ ପୁଣି ବର୍ଷା ବଢ଼ିପାରେ । ଉପକୂଳରେ ହିଁ ଅଧିକ ବର୍ଷା ସମ୍ଭାବନା ଅଛି । ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନର ସ୍ୱାଭାବିକ ସମୟ ଅକ୍ଟୋବର ୧୫ । ଏ ବର୍ଷ ମୌସୁମୀ ପ୍ରତ୍ୟାବର୍ତ୍ତନ ବିଳମ୍ବ ହୋଇପାରେ । ଅକ୍ଟୋବର ପ୍ରଥମାର୍ଦ୍ଧରେ ଉପକୂଳ ଓଡ଼ିଶାରେ ୬୦% ଅଧିକ ବର୍ଷା ହେବା ସମ୍ଭାବନା ଅଛି । ଜୁନ ପହିଲାରୁ ସେପ୍ଟେମ୍ବର ୩୦ (ମୌସୁମୀ ଅବଧି) ଭିତରେ ରାଜ୍ୟରେ ହାରାହାରି ୧୧୯୬.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଭଦ୍ରକରେ ୨୧% କମ୍‌ ବର୍ଷା ହୋଇଛି । ବାକି ସମସ୍ତ ଜିଲ୍ଲାରେ ବର୍ଷା ପରିମାଣ ଭଲ ଅଛି । ବୌଦ୍ଧ, କନ୍ଧମାଳ, ଗଜପତି, କୋରାପୁଟରେ ଅଧିକ ବର୍ଷା ହୋଇଛି ।

Related Posts