କୌଣସି ଝିଅଙ୍କୁ ଏ ସରକାର ନ୍ୟାୟ ଦେଇନି: ରୁଚିକାଙ୍କ ମାଆ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତି ଗତ ଶନିବାର କାରୁବାକୀ ହଷ୍ଟେଲରେ ଆତ୍ମହତ୍ୟା କରିଥିବା ବେଳେ ଏହାକୁ ନେଇ ଘନେଇବାରେ ଲାଗିଛି ବିବାଦ । ୩ ସିନିୟର ଛାତ୍ରୀଙ୍କ ମାନସିକ ନିର‌୍ୟାତନା ସହି ନ ପାରି ଆତ୍ମହତ୍ୟା କରୁଥିବା ରୁଚିକା ନିଜ ସୁଇସାଇଡ ନୋଟରେ ଉଲ୍ଲେଖ କରିଛନ୍ତି। ଉକ୍ତ ୩ ଛାତ୍ରୀଙ୍କୁ ଗିରଫ ସହ ଏଥିରେ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷଙ୍କ ଗିରଫଦାରୀ ଦାବିରେ ଗତକାଲି ରାତି ସାରା ଧାରଣାରେ ବସିଛନ୍ତି ରୁଚିକାଙ୍କ ବାପାମା’ । ଝିଅ ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ସେମାନେ ଦାବି କରିଛନ୍ତି । ନବ ନିର୍ମାଣ ଛାତ୍ର ସଂଗଠନ ମଧ୍ୟ ଏହି ଧାରଣାରେ ସାମିଲ ହୋଇଛି । ସେପଟେ ସୁଇସାଇଡ୍ ନୋଟ୍ରେ ଲେଖାଥିବା ୩ ସିନିୟର ଛାତ୍ରୀ କିଏ ତାକୁ ନେଇ ଉଠିଛି ପ୍ରଶ୍ନ । ପୁଲିସ୍ ସବୁ ଜାଣି ବି କ୍ତ ୩ ଛାତ୍ରୀଙ୍କୁ ଗିରଫ କରୁନି ବୋଲି ଅଭିଯୋଗ ଆଣିଛନ୍ତି ରୁଚିକାଙ୍କ ମା’ ।

ସେମାନଙ୍କୁ ଗିରଫ କରିବା ସହ ଏଥିରେ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଗିରଫ କରିବାକୁ ସେମାନେ ନିଜ ଦାବିରେ ଅଡ଼ି ବସିଛନ୍ତି । ଯେଉଁ ପର‌୍ୟ୍ୟନ୍ତ ସେହି ୩ ସିନିଅରଙ୍କୁ ଗିରଫ କରାଯାଇନି, ସେପର‌୍ୟ୍ୟନ୍ତ ଏଠାରୁ ଉଠିବେ ନାହିଁ ବୋଲି ରୁଚିକାଙ୍କ ମା’ କହିଛନ୍ତି । ଏନେଇ ରୁଚିକାଙ୍କ ବାପା କହିଛନ୍ତି, କଲେଜର ଫେୟାରୱେଲ ଫଙ୍କସନ୍କୁ ନେଇ ୩ ସିନିୟର ଛାତ୍ରୀ ଗାଳିଗୁଲଜ କରୁଥିବା ନେଇ ଝିଅ ପ୍ରାୟ ୨ ମାସ ପୂର୍ବେ ତା’ ମା’କୁ କହିଥିଲା। ହେଲେ ସବୁ ସହିନେବାକୁ ତା’ ମା’ ତାକୁ କହିଥିଲା। ଏ ଘଟଣା ମୋ ନଜରକୁ ଆସି ନ ଥିଲା। ଏହି ଘଟଣାର ସିବିଆଇ ତଦନ୍ତ ଦାବି କରୁଛୁ, ଯେପରି ଭବିଷ୍ୟତରେ ଆଉ କୌଣସି ଅଭିଭାବକ ନିଜ ସନ୍ତାନଙ୍କୁ ହରାଇବାର କଷ୍ଟ ନ ପାଆନ୍ତୁ ବୋଲି କହିଛନ୍ତି ।

Related Posts