ଏଥର ଯୁକ୍ତ ୨ ପରୀକ୍ଷା ଦେବେ ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀ; ଜାନୁଆରିରେ ପ୍ରାକ୍ଟିକାଲ, ମାର୍ଚ୍ଚରେ ହେବ ଥିଓରି ପରୀକ୍ଷା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ବିଭାଗ ପ୍ରାକ୍ଟିକାଲ ପରୀକ୍ଷା ଆସନ୍ତା ଜାନୁଆରି ମାସରେ ଅନୁଷ୍ଠିତ ହେବ। ତାରିଖ ଚୂଡ଼ାନ୍ତ ହୋଇ ନ ଥିଲେ ମଧ୍ୟ ଜାନୁଆରି ଶେଷ ସପ୍ତାହରୁ ପରୀକ୍ଷା ଆରମ୍ଭ କରିବାକୁ ସିଏଚ୍‌ଏସ୍‌ଇ ଯୋଜନା ପ୍ରସ୍ତୁତ କରିଛି। ସେହିପରି ପ୍ରତିବର୍ଷ ପରି ଏଥର ମଧ୍ୟ ମାର୍ଚ୍ଚ ପ୍ରଥମ ସପ୍ତାହରେ ଥିଓରି ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ବିଗତ ଦୁଇ ବର୍ଷ ହେଲା କୋଭିଡ୍‌ ସଂକ୍ରମଣ ଓ କଟକଣା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହେବା ସହ ପରୀକ୍ଷା ପରିଚାଳନାରେ ସମସ୍ୟା ସୃଷ୍ଟି ହୋଇଥିବାରୁ ଏଥର ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ପ୍ରକ୍ରିୟା ଅନୁଷ୍ଠିତ ହେବ, ସେନେଇ ପରିଷଦ ପକ୍ଷରୁ ସମ୍ପୂର୍ଣ ରୂପରେଖ ପ୍ରସ୍ତୁତ କରାଯାଇଛି।

ଇତିମଧ୍ୟରେ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଶେଷ ହୋଇଛି। ଜରିମାନା ସହ ତିନୋଟି ପର୍ଯ୍ୟାୟରେ ହୋଇଥିବା ଫର୍ମ ପୂରଣରେ ପ୍ରାୟ ୩ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ରେଗୁଲାରରେ ୩ ଲକ୍ଷ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ରହିଛନ୍ତି। ତେବେ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ କେତେଜଣ ଛାତ୍ରଛାତ୍ରୀ ନିର୍ଦ୍ଧାରିତ ସମୟରେ ଫର୍ମ ପୂରଣ କରିପାରି ନ ଥିବା ଜଣାପଡ଼ିଛି। ଯେଉଁମାନେ ଫର୍ମ ପୂରଣରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କ ଲାଗି ପରିଷଦ ପକ୍ଷରୁ ପୁଣିଥରେ ଏକ ସମୟ ଧାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଅନ୍ୟପଟେ ପରୀକ୍ଷା ପରିଚାଳନା ଲାଗି ନିୟୋଜିତ ହେବାକୁ ଥିବା ଅଧ୍ୟାପକ ତଥା ପରୀକ୍ଷକଙ୍କ ତାଲିକା ପ୍ରସ୍ତୁତ ଜାରି ରହିଛି। ପରୀକ୍ଷା ପରିଚାଳନାରେ ବହୁ ସଂଖ୍ୟକ ଅଧ୍ୟାପକ ଅଧ୍ୟାପିକା ସାମିଲ ହେବାକୁ ଥିବାରୁ ପରିଷଦ ପକ୍ଷରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜ କର୍ତ୍ତୃପକ୍ଷଙ୍କଠାରୁ ତଥ୍ୟ ମଗାଯାଇଛି। ଶିକ୍ଷାନୁଷ୍ଠାନରେ କେତେ ସଂଖ୍ୟକ ଅଧ୍ୟାପକ ରହିଛନ୍ତି, ତାହାର ତାଲିକା ପ୍ରଦାନ କରିବାକୁ ଇତିମଧ୍ୟରେ ପରିଷଦ ପକ୍ଷରୁ ତିନିଥର ଚିଠି ପଠାସରିଲାଣି। ତଥାପି କେତେକ କଲେଜ ଏବେ ସୁଦ୍ଧା ତଥ୍ୟ ଦେଉ ନ ଥିବା ଜଣାପଡ଼ିଛି। ଅକ୍ଟୋବରରେ ପରିଷଦ ପକ୍ଷରୁ ପ୍ରଥମ ଥର ଏନେଇ କଲେଜଗୁଡ଼ିକୁ ଚିଠି ଲେଖାଯାଇଥିଲା। ପରବର୍ତ୍ତୀ ସମୟରେ ନଭେମ୍ବର ୨୧ ଓ ୨୯ରେ ଲଗାତାର ଭାବେ ଚିଠି ଦିଆଯାଇ ଡିସେମ୍ବର ୩ ସୁଦ୍ଧା ଅଧ୍ୟାପକ ଅଧ୍ୟାପିକାଙ୍କ ତଥ୍ୟ ‌ମଗାଯାଇଥିଲା। ଏତେ ସବୁ ପରେ ବି ୪୬ଟି କଲେଜ ଆଜି ସୁଦ୍ଧା ତଥ୍ୟ ଦାଖଲ କରି ନଥିବା ସୂଚନା ମିଳିଛି।

ପରିଷଦ ପକ୍ଷରୁ ‌କୁହାଯାଇଛି ଯେ, ଯେଉଁମାନେ ପରୀକ୍ଷା ପରିଚାଳନାରେ ସାମିଲ ହେବେ ସେମାନଙ୍କ ଯୋଗ୍ୟତା ଜୁନିଅର ଅଧ୍ୟାପକ/ପିଜିଟିରୁ କମ୍‌ ହୋଇ ନଥିବା ଆବଶ୍ୟକ। ଅଧ୍ୟାପକମାନେ ଯୁକ୍ତ୨ ବାର୍ଷିକ ପରୀକ୍ଷାରେ ପରୀକ୍ଷକ ଦାୟିତ୍ବ ତୁଲାଇବେ। ସେମାନଙ୍କର ହ୍ବାଟସ୍‌ଆପ୍‌ ଥିବା ମୋବାଇଲ୍‌ ନମ୍ବର ପ୍ରଦାନ କରିବାକୁ ଅଧ୍ୟକ୍ଷମାନଙ୍କୁ କୁହାଯାଇଥିଲା। ସିଏଚ୍‌ଏସ୍‌ଇ ଅଧୀନ ସେଲ୍ଫ ଫାଇନାନ୍ସିଂ କଲେଜ ବ୍ୟତୀତ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଲାଗି ଏହି ନିୟମ ବାଧ୍ୟତାମୂଳକ ହୋଇଛି। ଯେଉଁ କଲେଜଗୁଡ଼ିକ ନିର୍ଦ୍ଧାରିତ ସମୟ ସୁଦ୍ଧା ଏସ୍‌ଆଇପି ତଥ୍ୟ ଦେବେ ନାହିଁ, ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ଛାତ୍ରଛାତ୍ରୀଙ୍କ ଆଡମିଟ୍‌ କାର୍ଡ ନ ପଠାଇବାକୁ ଚେତାବନୀ ଦିଆଯାଇଛି।

Related Posts