ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ):ଏଥର ପଞ୍ଚୁକରେ ଭର୍ଚୁଆଲରେ ଦର୍ଶନ ଦେବେ ବାବା ଧବଳେଶ୍ୱର। ଭର୍ଚୁଆଲରେ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ। ଝୁଲାପୋଲ ନିକଟରେ ବଡ଼ ଏଲଇଡି ଟିଭି ଲାଗିବ।ଝୁଲାପୋଲ ନିକଟରେ ଶ୍ରଦ୍ଧାଳୁମାନେ ଏହି ଏଲଇଡି ଟିଭିରେ ଧବଳେଶ୍ଵରଙ୍କ ଦର୍ଶନ କରିବେ। ସେହିଭଳି ଗଜ ଭୋଗ ଓ ଅନ୍ୟାନ୍ୟ ଶୁଖିଲା ଭୋଗ ମଧ୍ୟ ଝୁଲା ପୋଲ ନିକଟରେ ମିଳିବ। ଧବଳେଶ୍ୱରରେ ବସିଥିବା ବୈଠକ ପରେ ଆଜି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଏହି ସୂଚନା ଦେଇଛନ୍ତି।

ତେବେ ଧବଳେଶ୍ୱର ମନ୍ଦିରକୁ ସଂଯୋଗ କରିଥିବା ଝୁଲା ପୋଲ ଏବଂ ଧବଳେଶ୍ୱର ପୀଠରେ ଏବେ ୧୪୪ ଧାରା ଜାରି ହୋଇଛି। ବିଗତ ଦୁଇ ବର୍ଷ କରୋନା କଟକଣା ପରେ ଚଳିତ ବର୍ଷ ୧୪୪ ଧାରା ପାଇଁ ଦର୍ଶନରୁ ବଞ୍ଚିତ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ସେପଟେ ମନ୍ଦିରକୁ ସଂଯୋଗ କରୁଥିବା ଝୁଲାପୋଲର ସ୍ଥିତି ପାରଖିଛନ୍ତି ବିଶେଷଜ୍ଞ ଦଳ। ଏହାପରେ ପୋଲଟି ସମ୍ପୂର୍ଣ ଦୁର୍ବଳ ହୋଇଯାଇଥିବା ଜଣାପଡ଼ିଛି। ଏହି ପୋଲରେ ଭକ୍ତଙ୍କ ଯାତାୟାତ ପାଇଁ ଅସୁରକ୍ଷିତ ହୋଇ ପଡିଥିବାରୁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି। ସେହିଭଳି ବର୍ତ୍ତମାନ ଝୁଲାପୋଲ ଓ ଧବଳେଶ୍ୱର ପୀଠ ପରିସରରେ ୧୪୪ ଧାରା ଜାରି କରାଯାଇଛି। ଧବଳେଶ୍ୱରକୁ କେବଳ ନୀତି ସହ ସଂଶ୍ଳିଷ୍ଟ ଥିବା ସେବାୟତ ମାନଙ୍କୁ ଛଡାଯାଉଛି।