ଭୁବନେଶ୍ୱର,୧୯/୨(ସତ୍ୟପାଠ ବ୍ୟୁରୋ): ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ତାଙ୍କ ବାନ୍ଧବୀ ସୋମାଲିକାଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଆବଶ୍ୟକ ପ୍ରମାଣ ଦେବା ପରେ ବି ସୋମାଲିକାଙ୍କୁ ନ୍ୟାୟ ମିଳୁନାହିଁ । ଏନେଇ ଆଜି ନ୍ୟାୟ ପାଇଁ ବିରୋଧୀ ଦଳ ନେତାଙ୍କୁ ଭେଟିଛନ୍ତି ସୋମାଲିକା ଦାସ। ବିଧାୟକ ବିଜୟ ଶଙ୍କରଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ସେଥିପାଇଁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସହ ଆଲୋଚନା କରିଛନ୍ତି ସୋମାଲିକା।

ବିରୋଧୀ ଦଳ ନେତା ଜୟନାରାୟଣଙ୍କୁ ଭେଟିବା ପରେ ପ୍ରତିକ୍ରିୟାରେ ସୋମାଲିକା ଦାଶ କହିଛନ୍ତି ଯେ, ଆସନ୍ତା ବିଧାନସଭାରେ ଏହି ପ୍ରସଙ୍ଗ ଗୃହରେ ଉଠାଇବା ପାଇଁ ଜୟନାରାୟଣ କହିଛନ୍ତି । ୧୯ ଦିନ ହେବ ସବୁ ପ୍ରମାଣ ଦେବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ମୁଁ କେବଳ ପୁଲିସ ଓ କୋର୍ଟରେ ଚକର କାଟୁଛି ବୋଲି ସୋମାଲିକା କହିଛନ୍ତି। ମାମାଲର କୌଣସି ଉନ୍ନତି ନାହିଁ । ପୋଲିସଙ୍କ ଉପରେ ମଧ୍ୟ ଚାପ ରହିଛି। ସବୁ କଥାର ପ୍ରମାଣ ଦେବା ପରେ ମାମଲା ରୁଜୁ ହେବାକୁ ୯ ମାସ ସମୟ ଲାଗିଛି। ଖୁଲମା ଖୁଲା ଦୋଷୀ ବାହାରେ ବୁଲୁଛନ୍ତି। ବିଧାୟକ ଥିବାରୁ ବିଜୟ ଶଙ୍କରଙ୍କୁ ସୁରକ୍ଷା ଦିଆଯାଉଛି ।ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବା ନେଇ ବିରୋଧୀ ଦଳ ନେତା ପ୍ରତିଶ୍ରୁତି ଦେଇଥିବା କଥା କହିଛନ୍ତି ସୋମାଲିକା ।

ସୂଚନାଯୋଗ୍ୟ ଯେ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରେମ ବ୍ୟାପାରକୁ ନେଇ ଜଗତସିଂହପୁର ଜିଲ୍ଲା ସମେତ ରାଜ୍ୟ ରାଜନୀତି ସରଗରମ ହୋଇଛି । ନିକଟରେ ତିର୍ତ୍ତୋଲ ମହିଳା କଂଗ୍ରେସ ପକ୍ଷରୁ ବିଧାୟକ ବିଜୟ ଶଙ୍କରଙ୍କ ଗିରଫ ଦାବିରେ ଏସପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ସେହିପରି ବିଜେପି ପକ୍ଷରୁ ବିରାଟ ଶୋଭାଯାତ୍ରା କରାଯାଇ ଜିଲ୍ଲା ପୋଲିସ ମୁଖ୍ୟାଳୟ ଘେରାଉ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଏସପି ରାହୁଲ ପିଆର୍‌ଙ୍କୁ ପ୍ରଦାନ କରାଯାଇଥିଲା । ଅନ୍ୟପଟେ ବିଜୟଙ୍କ ବାନ୍ଧବୀ ସୋମାଲିକା ଏତଲା ଦେବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଯଦି ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଳାଇବେ ସୋମାଲିକା କହିଥିଲେ।

ତେବେ ପୂର୍ବରୁ ବିଜୟ ଶଙ୍କରଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ସୋମାଲିକା। ହେଲେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ପୁଲିସ ପ୍ରଶାସନଠାରୁ ନିରାଶ ହୋଇ ସୋମାଲିକା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲା କରିବାକୁ କୋର୍ଟ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପୁଲିସ ସୋମାଲିକାଙ୍କୁ ଦୁଇ ଥର ଥାନାକୁ ଡାକି ଘନଘନ ଜେରା କରିଥିଲା। ଏପରିକି ତାଙ୍କ ଡାକ୍ତରୀ ମାଇନା ମଧ୍ୟ କରିଥିଲା। ସୋମାଲିକାଙ୍କଠାରେ ଥିବା ସବୁ ପ୍ରମାଣ ନେଇଥିଲା। ଏହା ସତ୍ତ୍ୱେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଯେଉଁଥିପାଇଁ ସୋମାଲିକା ଆଜି ବିରୋଧୀଦଳ ନେତାଙ୍କୁ ଭେଟିଛନ୍ତି।