ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ଟିଭିକେକୁ ଶକ୍ତ ଝଟ୍‌କା । ଆସ୍ଥା ଭୋଟ୍‌ରେ ଭାଗ ନେଇପାରିବେନି ମାତ୍ର ଗୋଟିଏ ଭୋଟ୍‌ରେ ଜିତିଥିବା ଆର୍‌ ସୀନିବାସା ସେଥୁପତି । ତେବେ ମାଡ୍ରାସ ହାଇକୋର୍ଟ ଆଜି ତିରୁପତ୍ତୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ମାତ୍ର ଗୋଟିଏ ଭୋଟ୍‌ରେ ଜିତିଥିବା ଆର୍‌ ସୀନିବାସା ସେଥୁପତିଙ୍କୁ ସପ୍ତଦଶ ବିଧାନସଭାରେ କୌଣସି କାର୍ଯ୍ୟରେ ନେଇପାରିବେନି ବୋଲି ନିର୍ଦ୍ଦେଶ ଦେଇଛନ୍ତି। ତିରୁପତ୍ତୁର ବିଧାୟକ ସେଥୁପତି ଅନାସ୍ଥା ପ୍ରସ୍ତାବ ସମେତ ବିଧାନସଭାରେ ସମସ୍ତ ପ୍ରକାର ଭୋଟିଂ ପ୍ରକ୍ରିୟାରେ ଭାଗ ନେଇପାରିବେନି ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ଆ‌ସନ୍ତାକାଲି ଟିଭିକେ ସୁପ୍ରିମୋ ବିଜୟ ଗୃହରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ‌ଦେବାର ଥିବାବେଳେ ଏହା ପୂର୍ବରୁ ଆଜିର ଏହି ନିର୍ଦ୍ଦେଶକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। କୋର୍ଟଙ୍କ ନିର୍ଦ୍ଦେଶ ଫଳରେ ସେଥୁପତି ଆସନ୍ତାକାଲି ଆସ୍ଥା ଭୋଟ୍‌ରେ ଭାଗ ନେଇପାରିବେନି। ଫଳରେ ଟିଭିକେର ଗୋଟିଏ ଭୋଟ୍‌ ପାଣିରେ ପଡ଼ିଲା। ଉଲ୍ଲେଖଯୋଗ୍ୟ ଯେ ଡିଏମ୍‌କେ ପ୍ରାର୍ଥୀ କେଆର ପେରିୟାକରୁପ୍ପାନ ଟିଭିକେ ପ୍ରାର୍ଥୀ ସେଥୁପତିଙ୍କଠାରୁ ମାତ୍ର ଗୋଟିଏ ଭୋଟରେ ହାରି ଯାଇଥିଲେ। ପେରିୟାକରୁପ୍ପାନଙ୍କର ଏକ ଆବେଦନ ଆଧାରରେ ଖଣ୍ଡପୀଠ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ଶିବଗଙ୍ଗା ଜିଲ୍ଲା ତିରୁପତ୍ତୁର ନିର୍ବାଚନମଣ୍ଡଳୀର ଏକ ପୋଷ୍ଟାଲ ବାଲଟ ଭୁଲ୍‌ରେ ତିରୁପତ୍ତୁର ଜିଲ୍ଲାର ତିରୁପତ୍ତୁର ନିର୍ବାଚନମଣ୍ଡଳୀକୁ ପଠାଯାଇଥିବାରୁ ଏହାକୁ ବିରୋଧ କରି ପେରିୟାକରୁପ୍ପାନ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।

ପୂର୍ବତନ ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ସେ ଯେଉଁଠାରୁ ଲଢ଼ୁଥିଲେ ସେଠାରୁ ଏକ ପୋଷ୍ଟାଲ ବାଲଟ ଭୁଲ୍‌ରେ ତିରୁପତ୍ତୁର ପଠାଯାଇଛି। ବାସ୍ତବ ନିର୍ବାଚନମଣ୍ଡଳୀକୁ ପଠାଇବା ବଦଳରେ ତିରୁପତ୍ତୁର ନିର୍ବାଚନ ଅଧିକାରୀ ଏହି ପୋଷ୍ଟାଲ ବାଲଟକୁ ପ୍ରତ୍ୟାଖ୍ୟାନ କରିଦେଇଥିବା ସେ ଅଭିଯୋଗ କରିଛନ୍ତି। ଏହାଦ୍ବାରା ନିର୍ବାଚନ ଫଳ ପ୍ରଭାବିତ ହୋଇଛି। ସୀନିବାସା ସେଥୁପତି ଯେଭଳି କୌଣସି ପ୍ରକାର ବିଧାନସଭା କାର୍ଯ୍ୟକ୍ରମ‌ରେ ଭାଗ ନେବେନାହିଁ ତାଙ୍କ ଉପରେ ନିଷିଦ୍ଧାଦେଶ ଲଗାଇବାପାଇଁ ସେ କୋର୍ଟରେ ଆବେଦନ କରିଛନ୍ତି। ‌