ଅଫିସ ଭଡ଼ା ଦେଇପାରିଲାନି ଟ୍ୱିଟର୍, ମାମଲା ରୁଜୁ କଲେ ବିଲ୍ଡିଂ ମାଲିକ

ଭୁବନେଶ୍ୱର,୨/୧(ସତ୍ୟପାଠ ବ୍ୟୁରୋ): ଅଫିସ୍ ଭଡ଼ା ଦେଇପାରିଲାନି ଟ୍ୱିଟର୍। କମ୍ପାନୀ ନାଁରେ ରୁଜୁ ହେଲା ମାମଲା। ସାନ୍ ଫ୍ରାନ୍‌ସିସ୍କୋରେ ଥିବା ଅଫିସ୍ ଘରର ଭଡ଼ା ବାବଦ ଦେୟ ୧୩୬,୨୫୦ ଡଲାର୍ ଦେଇ ନ ଥିବାରୁ ‘ଟୁଇଟର୍ ଇନ୍‌କର୍ପୋରେଟେଡ୍‌’ ନାଁରେ ଅଦାଲତରେ ମାମଲା ରୁଜୁ କରାଯାଇଛି।

ମିଡ଼ିଆ ରିପୋର୍ଟ ଅନୁସାରେ, ଘର ମାଲିକ କୋଲମ୍ବିଆ ରିଟ୍‌ଙ୍କ କହିବା ମୁତାବକ, ଡିସେମ୍ବର ୧୬ ତାରିଖରେ ଭାଡା ପୈଠ କରିବାକୁ ଟ୍ୱିଟ୍‌ରକୁ ସୂଚନା ଦିଆଯାଇଥିଲା।ଆର୍ଡଫୋର୍ଡ ବିଲ୍ଡିଂର ୩୦ତମ ମହଲରେ ଥିବା ଅଫିସ ଲିଜ୍ ଖିଲାଫକାରୀ ତାଲିକାଭୁକ୍ତ ହେବ ବୋଲି ଟ୍ୱିଟର୍‌କୁ ନୋଟିସ ଜାରି କରାଯାଇଥିଲା। ତେବେ ନୋଟିସ ଜାରି ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ଭଡା ଟଙ୍କା ପୈଠ କରିନି ଟ୍ୱିଟର୍।

ଏନେଇ ସାନ୍ ଫ୍ରାନ୍‌ସିସ୍କୋ ସ୍ଥିତ ରାଜ୍ୟ ଅଦାଲତରେ ଗୁରୁବାର ଦିନ ଘର ମାଲିକ ଏକ ମାମଲା ରୁଜୁ କରିଥିଲେ। ଭଡ଼ା ନେଇଥିବା ପ୍ରତିଷ୍ଠାନ ଭଡ଼ା ଦେବାରେ ବିଫଳ ହୋଇଥିବା ଅଭିଯୋଗରେ ‘କଲମ୍ବିଆ ରିଟ୍‌’ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଡିସେମ୍ବର ୧୩ ତାରିଖରେ ‘ଦି ନ୍ୟୁୟର୍କ ଟାଇମ୍ସ’ ରିପୋର୍ଟ କରିଛି ଯେ, ଟ୍ୱିଟର୍ ତା’ର ମୁଖ୍ୟାଳୟ ଅଥବା ବିଶ୍ୱବ୍ୟାପୀ ଥିବା ତା’ର କୌଣସି କାର୍ଯ୍ୟାଳୟ ବାବଦକୁ ଭଡ଼ା ଦେୟ ପୈଠ କରିନାହିଁ। ଏହାଛଡ଼ା ଦୁଇଟି ଚାର୍ଟର୍ ବିମାନ ବାବଦକୁ ଦେୟ ଦେବାକୁ ମନା କରି ଦେବାରୁ ଗତମାସ ପ୍ରାରମ୍ଭରେ ଟ୍ୱିଟର୍ ନାଁରେ ମାମଲା ରୁଜୁ କରାଯାଇଥିଲା। ଅନ୍ୟପଟେ ଟ୍ୱିଟର ଗଣମାଧ୍ୟମକୁ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି।

Related Posts