
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଲା ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା। ତାପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଗଣଶିକ୍ଷାମନ୍ତ୍ରୀଙ୍କ ଶୁଭେଚ୍ଛା । ଚାପମୁକ୍ତ ପରୀକ୍ଷା ପାଇଁ ଦେଲେ ଟିପ୍ସ ମନ୍ତ୍ରୀ ।
ଦୁଇ ବର୍ଷ ପରେ ଅଫଲାଇନରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ପ୍ରଥମ ଦିନରେ ଆଜି କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀ ଏମଆଇଏଲ (ଓଡ଼ିଆ) ବିଷୟରେ ପରୀକ୍ଷା ଦେବେ। ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ। ପରୀକ୍ଷାର୍ଥୀଙ୍କୁ ୮ଟାରୁ ୮ଟା ୩୦ ମଧ୍ୟରେ ପରୀକ୍ଷା କେନ୍ଦ୍ରକୁ ଛଡ଼ାଯିବ। ୧୦ ମିନିଟ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନ ପତ୍ର ଏବଂ ୫ ମିନିଟ ପୂର୍ବରୁ ଉତ୍ତର ଖାତା ମିଳିବ।
ଚଳିତ ବର୍ଷ ମୋଟ ୩ ଲକ୍ଷ ୨୧ ହଜାର ୫୦୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ସେଥିମଧ୍ୟରୁ କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଓ ବିଜ୍ଞାନରେ ୭୮ ହଜାର ୭୭ ଜଣ ଛାତ୍ରଛାତ୍ରୀ ଅଛନ୍ତି। ସେହିପରି ବାଣିଜ୍ୟରେ ୨୪ ହଜାର ୧୩୬ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥିପାଇଁ ମୋଟ ୧ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ର ଏବଂ ୨୦୨ଟି ପରିଚାଳନା ହବ୍ କରାଯାଇଛି। ପରୀକ୍ଷା ପାଇଁ କେନ୍ଦ୍ରଗୁଡ଼ିକରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସିସିଟିଭି ନଜରରେ ପରୀକ୍ଷା କେନ୍ଦ୍ର ଥିବା ବେଳେ, ମୋବାଇଲ ବାରଣ କରାଯାଇଛି।
ସେପଟେ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ଗୁଡିକରେ ପାନୀୟ ଜଳ, ଓଆର୍ଏସ୍ର ବ୍ୟବସ୍ଥା କରାଯାଇଛି । ଖାସ୍ କରି କପି ରୋକିବାକୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ସହ ସିସିଟିଭିର ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ଗୁଜବ କାରୀଙ୍କ ଉପରେ ସ୍ୱରନ୍ତ୍ର ନଜର ରହିବ। ଯଦି ସେମାନେ କିଛି ଗୁଜବ ସୃଷ୍ଟ କରନ୍ତି । ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ତ୍ରୁଟି ଶୂନ୍ୟ, ଓ ଚାପମୁକ୍ତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମନ୍ତ୍ରୀ ସମୀର ଦାସ ।