
(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷାର ପ୍ରଭାବ ପାଖାପାଖି ସମଗ୍ର ରାଜ୍ୟ ଉପରେ ପଡିଛି। ଅନେକ ସ୍ଥାନରେ ଅନେକ କ୍ଷୟକ୍ଷତି ହୋଇଛି। ତେବେ ଏସ୍ଆରସିଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ରାଜ୍ୟର ୨୦ଟି ଜିଲ୍ଲା ଏହି ଲଘୁଚାପ ଜନିତ ବର୍ଷାରେ ବିଶେଷ ପ୍ରଭାବିତ ହୋଇଛି। ୨୦ଟି ଜିଲ୍ଲାର ୨୦.୪୬ଲକ୍ଷ ପ୍ରଭାବିତ ହୋଇଥିବାବେଳେ ୧୩୫୩୪ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏତଦ୍ ବ୍ୟତୀତ ୨୮୭୦ଟି ଘର ଭାଙ୍ଗିଯାଇଥିବାବେଳେ ୪ଜଣଙ୍କ ମୃତ୍ୟୁ ଘଟିଛି।
ଏସଆରସିଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ଲଗାଣ ବର୍ଷା ପ୍ରଭାବରେ ଅନୁଗୋଳ, ବରଗଡ଼, ବାଲେଶ୍ୱର, ବୌଦ୍ଧ, କଟକ, ଦେବଗଡ଼, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନୟାଗଡ଼, ନୂଆପଡ଼ା, ପୁରୀ ଓ ସୋନପୁର ଜିଲ୍ଲାର ୧୧୧ଟି ବ୍ଲକର ୩୬୯୬ଟି ଗାଁ ଏବଂ ୨୭ଟି ପୌରାଂଚଳରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ବର୍ଷା ଯୋଗୁ ତଳିଆ ଅଂଚଳରେ ପାଣି ପଶିଯିବାରୁ ୧୩୫୩୪ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୨୮୭୦ଟି ଘର ଭାଙ୍ଗି ଯାଇଥିବା ବେଳେ କାନ୍ଥ ପଡ଼ି କେନ୍ଦ୍ରାପଡ଼ାରେ ୨ଜଣ ଓ ଗଞ୍ଜାମରେ ଜଣେ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଜଣେ ପାଣିରେ ବୁଡ଼ି ଜୀବନ ହରାଇଛନ୍ତି। ବର୍ଷା ଯୋଗୁ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକରେ ଜଳସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଲଗାଣ ବର୍ଷା ଯୋଗୁ ପ୍ରାୟତଃ ଅଧିକାଂଶ ଜିଲ୍ଲାରେ ଯାତାୟତ ବାଧାପ୍ରାପ୍ତ ହୋଇଛି।