୧୫ ଦିନରେ ପହଁଚିଛି ୟୁକ୍ରେନ- ଋଷ ମଧ୍ୟରେ ଯୁଦ୍ଧ | ରୁଷ ସେନା ୟୁକ୍ରେନ ଉପରକୁ ଲଗାତାର ଭାବେ ଆକ୍ରମଣ ଜାରି ରଖିଥିବା ବେଳେ, ୟୁକ୍ରେନ ରେ ତାଣ୍ଡବ ରଚୁଛନ୍ତି ରୁଷ ସେନା | ନରସଂହାର ରଚୁଥିବା ବେଳେ, ଅକାଳରେ ଚାଲିଯାଉଛି ନିରୀହ ମହିଳା, ଶିଶୁଙ୍କ ଜୀବନ । ବୁଧବାର ଏଠିକାର ସବୁଠୁ ବଡ ମହିଳା ହସ୍ପଟାଲ ଉପରେ ବିସ୍ଫୋରଣ କରିଛି ଋଷ ସେନା । ଫଳରେ କିଛି ରୋଗୀ ଓ ସ୍ୱାସ୍ତ୍ୟକର୍ମୀ ଭଙ୍ଗା କୋଠା ତଳେ ଦବି ହୋଇରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା କାମ ଜାରି ରହିଛି ।

ଏହି ଆକ୍ରମଣକୁ କଡା ନିନ୍ଦା କରିଛି ଜାତିସଂଘ । ଏହା ଋଷର ଏକ ଅମାନବୀୟ କାଣ୍ଡ ବୋଲି କହିଛନ୍ତି ଜାତିସଂଘ ଜେନେରାଲ ସେକ୍ରେଟାରୀ ଆଣ୍ଟୋନିଓ ଗୁଟେରସ୍ । ସାରା ବିଶ୍ୱ ସମୁଦାୟ ଏହି ଘଟଣାକୁ ନିନ୍ଦା କରିଛି । ଏହି ଘଟଣାକୁ ନିନ୍ଦା କରି ଟ୍ୱିଟ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦୋମିର ଜେଲେନସ୍କି । ମାରିଆପୋଲର ମହିଳା ହସ୍ପିଟାଲ ଉପରେ ଆକ୍ରମଣ କରି ଋଷ ମହିଳା ଓ ଶିଶୁଙ୍କୁ ଅଳିଆ ଗଦାକୁ ଫୋପାଡିଦେଇଛି ବୋଲି ଜେଲେନସ୍କି କହିଛନ୍ତି ।

ଏହାପୂର୍ବରୁ ମଧ୍ୟ ଏକ ଶିଶୁ ହସ୍ପିଟାଲ ଉପରେ ରକେଟ୍ ମାଡ କରିଥିଲେ ଋଷ ସେନା । କେବଳ ଏତିକି ନୁହେଁ ୟୁକ୍ରେନରେ ଥିବା ଅନାଥାଳୟ ଉପରେ ମଧ୍ୟ ଆକ୍ରମଣ କରିଛି ରୁଷ ସେନା |