ନୂଆଦିଲ୍ଲୀ: ଗତ ଦୁଇ ବର୍ଷ ହେଲା ସମଗ୍ର ବିଶ୍ୱକୁ କବଳିତ କରି ରଖିଛି କୋଭିଡ୍-୧୯ ମହାମାରୀ | ନୂଆ ନୂଆ ରୂପ ରେ ଆସି ଲୋକଙ୍କୁ ସଂକ୍ରମିତ କରିବା ସହ ଆତଙ୍କ ଖେଳାଇବାରେ ଲାଗିଛି | ପ୍ରାୟ ପ୍ରତି ୪ମାସରେ ଥରେ ନୂଆ କରୋନାଭାଇରସ୍ ‘ଭେରିଏଣ୍ଟ୍’ ଉତ୍ପତ୍ତି ହେଉଛି | ତେବେ ଏହାରି ମଧ୍ୟରେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ସତର୍କ କରାଇ କହିଛନ୍ତି ଯେ, ଏସିଆରେ ବ୍ୟାପକ ସଂକ୍ରମଣ ବ୍ୟାପୁଥିବାରୁ କୋଭିଡ୍-୧୯ ମହାମାରୀର ଅବସାନ ଘଟିବାକୁ ଅନେକ ଦିନ ଲାଗିବ।
ସବୁ ସ୍ଥାନରେ ସବୁ ଲୋକଙ୍କୁ ଟିକା ଯୋଗାଇ ଦେବା ପାଇଁ ମଧ୍ୟ ଗୁଟେରେସ୍ ବିଭିନ୍ନ ରାଷ୍ଟ୍ରର ସରକାର ଓ ଔଷଧ କମ୍ପାନିମାନଙ୍କୁ କହିଛନ୍ତି। ‘ଗାଭି କୋଭାକ୍ସ୍ ଆଡ୍ଭାନ୍ସ୍ ମାର୍କେଟ୍ କମିଟ୍ମେଣ୍ଟ୍ ସମିଟ୍ ୨୦୨୨’କୁ ଦେଇଥିବା ‘ୱାନ୍ ୱାର୍ଲଡ୍ ପ୍ରୋଟେକ୍ଟେଡ୍- ବ୍ରେକ୍ କୋଭିଡ୍ ନାଓଁ’ ଶୀର୍ଷକ ଭିଡିଓ ବାର୍ତ୍ତାରେ ଗୁଟେରେସ୍ ଶୁକ୍ରବାର ଦିନ କହିଛନ୍ତି ଯେ, ଏହି ସମାବେଶର ସ୍ମରଣ କରାଇ ଦେଉଛି ଯେ, କୋଭିଡ୍-୧୯ ମହାମାରୀର ଅବସାନ ପାଇଁ ଦୀର୍ଘ ଦିନ ଲାଗିବ।
ସେ ଆହୁରି ମଧ୍ୟ କହିଛନ୍ତି, ପ୍ରତିଦିନ ଆମେ ୧.୫ ନିୟୁତ ସଂକ୍ରମଣ ମାମଲା ଦେଖୁଛନ୍ତି। ଏସିଆରେ ସଂକ୍ରମଣ ବ୍ୟାପକ ହେଉଛି। ୟୁରୋପ୍ରେ ନୂତନ ଲହର୍ ବ୍ୟାପିଚାଲିଛି। ମହାମାରୀ ପ୍ରାରମ୍ଭରୁ କେତେକ ରାଷ୍ଟ୍ର ସର୍ବାଧିକ ମୃତ୍ୟୁହାର ବିଷୟରେ ରିପୋର୍ଟ କରୁଛନ୍ତି। ବ୍ୟାପକ ଟିକାକରଣ ନ ହେଲେ କୋଭିଡ୍-୧୯ କେତେ ଶୀଘ୍ର ରୂପାନ୍ତରିତ ହୋଇ ବ୍ୟାପିଯାଏ, ‘ଓମିକ୍ରନ୍’ ତା’ର ଜ୍ବଳନ୍ତ ଦୃଷ୍ଟାନ୍ତ। କେତେକ ବିତ୍ତଶାଳୀ ରାଷ୍ଟ୍ର ଦ୍ବିତୀୟ ବୁଷ୍ଟର୍ ଡୋଜ୍ ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ ବିଶ୍ବର ଏକ ତୃତୀୟାଂଶ ଜନତା ଏଯାଏ ଟିକା ନେଇ ନାହାନ୍ତି।
