ମମତାଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗ ଏକ ଆଇନହୀନ ଓ ଦେବାଳିଆ ରାଜ୍ୟରେ ପରିଣତ ହୋଇଛି: ରବି ଶଙ୍କର ପ୍ରସାଦ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମଙ୍ଗଳବାର ଦିନ ପଶ୍ଚିମବଙ୍ଗରେ ବିଜେପି ପକ୍ଷରୁ ଆୟୋଜିତ ହୋଇଥିଲା ନବନ୍ନା ଯାତ୍ରା। ଏହି ଯାତ୍ରା ସମୟରେ ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନେକ ବିଜେପି କର୍ମୀ ଆହତ ହେବା ସହ କିଛି ସ୍ଥାନରେ ହିଂସାକାଣ୍ଡ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ହିଂସାକୁ ନେଇ ଭାରତୀୟ ଜନତା ପାର୍ଟି ବୁଧବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ କଡ଼ା ସମାଲୋଚନା କରିଛି। ଗଣମାଧ୍ୟମକୁ ସମ୍ବୋଧିତ କରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ, ମଙ୍ଗଳବାର ଅତ୍ୟାଚାର ଏବଂ ରାଜନୈତିକ ଆଭ୍ୟନ୍ତରୀଣ ହିଂସା ପଶ୍ଚିମବଙ୍ଗରେ ଚରମ ସୀମାରେ ପହଞ୍ଚିଛି।ପଶ୍ଚିମବଙ୍ଗ ବୌଦ୍ଧିକ ପରମ୍ପରା, ସାଂସ୍କୃତିକ ପରମ୍ପରାର ଏକ ବିରାଟ ରାଜ୍ୟ। କିନ୍ତୁ ମମତାଙ୍କ ନେତୃତ୍ୱରେ ଏହା ଏକ ଆଇନହୀନ ଦେବାଳିଆ ରାଜ୍ୟରେ ପରିଣତ ହୋଇଛି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ମମତା ରାଜ୍ୟର ସୀମା ବାହାରେ ଗଣତନ୍ତ୍ରକୁ ବଞ୍ଚାଇବା ବିଷୟରେ ଭାଷଣ ଦେଇଥାନ୍ତି। କିନ୍ତୁ ନିଜ ରାଜ୍ୟ ଭିତରେ ଗଣତାନ୍ତ୍ରିକ ଅଧିକାରର ଉଲ୍ଲଂଘନ କରି ସମସ୍ତ ସୀମା ଅତିକ୍ରମ କରି ସାରିଛନ୍ତି। ଆଗାମୀ ଦିନରେ ଏହି ହିଂସାର ଜବାବ ମମତାଙ୍କୁ ଭୋଗିବାକୁ ପଡ଼ିବ। ରାଜ୍ୟର ଜନତା ଏହାର ଜବାବ ମମତାଙ୍କୁ ଖୁବଶିଘ୍ର ଦେବେ ବୋଲି ରବି ଶଙ୍କର ପ୍ରସାଦ କହିଛନ୍ତି।

Related Posts