କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ଅଭାବନୀୟ ଦୃଶ୍ୟ: ଡାକ୍ତରଙ୍କ ମାଡ଼ରେ ରୋଗୀ ବେହାଲ, ଭିଡିଓ ଭାଇରାଲ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ଘଟିଛି ଏକ ଅଭାବନୀୟ ଦୃଶ୍ୟ | ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ନିସ୍ତୁକ ମାଡ ମାରିଛନ୍ତି ଡାକ୍ତର | ଯାହାର ଭିଡିଓ ଏବେ ଖୁବ ଭାଇରାଲ ହେବାର ଲାଗିଛି । ଠେଙ୍ଗା ବାଡି ସହ ହାତରେ ଯାହା ପଡିଲେ ସେଥିରେ ବାଡେଇଲେ। ବିଧା ସାଙ୍ଗକୁ ଗୋଇଠା ବି କସି ଦେଇଗଲେ। ସେପଟେ ରୋଗୀ ମଧ୍ୟ କିଛି କମ୍‌ ନୁହେଁ। ସେ ମଧ୍ୟ ଡାକ୍ତରଙ୍କ ଉପରକୁ ଉଠାଇଲା ହାତ। ଚିକିତ୍ସାକୁ ନେଇ ହସ୍ପିଟାଲ ଭିତରେ ପିଟାପିଟି ହେଲେ ଡାକ୍ତର ଆଉ ରୋଗୀ।

ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କଳାହାଣ୍ଡି ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଏହି ଘଟଣା ଘଟିଛି। ଜଣେ ରୋଗୀ ପେଟରେ ଯନ୍ତ୍ରଣା ହେଉଥିବା ନେଇ ଉପଖଣ୍ଡ ଚିକିତ୍ସାଳୟକୁ ଆସିଥିଲେ। ହେଲେ ଡାକ୍ତର ଡିୟୁଟିରେ ନଥିବା ଯୋଗୁଁ ସେ ଡାକ୍ତର କୁଆଡେ ଗଲେ ବୋଲି ପଚରା ଉଚୁରା କରିଥିଲେ। ପରେ ମେଡ଼ିସିନ ଖାଇ ଡାକ୍ତରଖାନାରେ ବସିଥିଲେ ରୋଗୀ। ଏତିକି ବେଳେ ଡାକ୍ତର ତାଙ୍କ ଉପରକୁ ମାଡି ଆସିଥିଲେ। କାହିଁକି ହସ୍ପିଟାଲ ଭିତରେ ପାଟିତୁଣ୍ଡ କରୁଛ କହି ରୋଗୀଙ୍କୁ ଆକ୍ରମଣ କରିଥିଲେ, ଏହାପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ବଢ଼ିଯାଇ ହାତାହାତି ଯାଏଁ କଥା ଯାଇଥିଲା।

ଏପରିକି ଡାକ୍ତର ଜଣକ ରାଗିଯାଇ ରୋଗୀଙ୍କୁ ବାଡିରେ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତି ଉତ୍ତରରେ ରୋଗୀ ମଧ୍ୟ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ। ଉଭୟଙ୍କ ମଧ୍ୟରେ ଏଭଳି କଳି ଚାଲିଥିବା ଦେଇ ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଡାକ୍ତର ଆଉ ରୋଗୀଙ୍କୁ ଥାନା କୁ ନେଇ ତଦନ୍ତ ଆରମ୍ଭ କରିଛି |

Related Posts