ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନ ଅନ୍ତର୍ଗତ ଆଦିବାସୀ ପୂର୍ଲା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଶ୍ରାବଣରେ ଛତୁକୁ ଶୁଖାଇକି ରଖି ଖାଇଥିବା ଗୋଟିଏ ପରିବାର ପାଇଁ କାଳ ପାଲଟିଛି । ଫଳରେ ପରିବାରର ୭ ଜଣ ସଦସ୍ୟ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉମରକୋଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁର୍ଲା ଗ୍ରାମର ଗୋଟିଏ ଆଦିବାସୀ ପରିବାର ଶ୍ରାବଣ ମାସରେ ମିଳୁଥିବା ଛତୁକୁ ଶୁଖାଇ ରଖିଥିଲେ। ଏହି ପରିବାରର ଲୋକେ ଛତୁକୁ ତରକାରୀ କରି ଖାଇଥିଲେ। ଖାଇବା ସଂଗେ ସଂଗେ ସେମାନଙ୍କର ବାନ୍ତି ଆରମ୍ଭ ହେଇଯାଇଥିଲା। ତୁରନ୍ତ ପରିବାର ଲୋକେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅସୁସ୍ଥ ମାନଙ୍କ ମଧ୍ୟରେ ଅଛନ୍ତି ୨ ଶିଶୁ ଓ ୨ ମହିଳା। ଅସୁସ୍ଥମାନେ ହେଲେ ତୁଳାରାମ ଭତ୍ରା, କମଳା ଭତ୍ରା, କନକ ଭତ୍ରା, ହୀରା ସିଂ ଭତ୍ର।, ତ୍ରିନାଥ ଭତ୍ର।, ସହଦେବ ଭତ୍ର ଓ ବିଜୟ ଭତ୍ର। ଦୁଇ ଶିଶୁଙ୍କର ବୟସ ୮ ଓ ୪ ବର୍ଷ ବୋଲି ଜଣାଯାଇଛି।

ବର୍ତ୍ତମାନ ସମସ୍ତଙ୍କର ଚିକିତ୍ସା ଚାଲିଛି। ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ଉମରକୋଟ ମେଡିକାଲ ଅଫିସର ଡକ୍ଟର ଶରତ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି