ଜାତୀୟ ଗ୍ରୀନ୍‌ ହାଇଡ୍ରୋଜେନ ମିଶନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ: ସୃଷ୍ଟି ହେବ ୬ ଲକ୍ଷ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୪/୧(ସତ୍ୟପାଠ ବ୍ୟୁରୋ): ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକ ଶେଷ ହୋଇଛି। ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ବୁଧବାର ଜାତୀୟ ଗ୍ରୀନ ହାଇଡ୍ରୋଜେନ ମିଶନକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଏହି ଅନୁମୋଦନ ପରେ ଭାରତ ସବୁଜ ହାଇଡ୍ରୋଜେନର ବିଶ୍ୱସ୍ତରୀୟ ହବରେ ପରିଣତ ହେବ। ଦେଶରେ ପ୍ରତିବର୍ଷ ୫୦ ଲକ୍ଷ ଟନ ସବୁଜ ହାଇଡ୍ରୋଜେନ ଉତ୍ପାଦନ ହେବ ।

ସେ କହିଛନ୍ତି ଯେ, ଏହି ଯୋଜନା ଅନୁଯାୟୀ ୨୦୩୦ ସୁଦ୍ଧା ବାର୍ଷିକ ୫୦ ଲକ୍ଷ ଟନ ସବୁଜ ହାଇଡ୍ରୋଜେନ ଉତ୍ପାଦନ ହେବ। କ୍ରେତା-ବିକ୍ରେତାମାନଙ୍କୁ ଗୋଟିଏ ଛାତ ତଳେ ଆଣିବା ପାଇଁ ସବୁଜ ହାଇଡ୍ରୋଜେନ କେନ୍ଦ୍ର ବିକଶିତ ହେବ। ଦେଶରେ ଇଲେକ୍ଟ୍ରୋଲାଇଜର ଉତ୍ପାଦନ ସମ୍ବନ୍ଧରେ ପାଞ୍ଚ ବର୍ଷ ପାଇଁ ପ୍ରୋତ୍ସାହନ ମଧ୍ୟ ଦିଆଯିବ।

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି ଯେ,୬୦-୧୦୦ ଗିଗାଓ୍ବାଟର ଇଲେକ୍ଟ୍ରୋଲାଇଜର କ୍ଷମତା ସୃଷ୍ଟି ହେବ। ଇଲେକ୍ଟ୍ରୋଲାଇଜର ଉତ୍ପାଦନ ଏବଂ ସବୁଜ ହାଇଡ୍ରୋଜେନ ଉତ୍ପାଦନ ପାଇଁ ୧୭,୪୯୦ କୋଟି ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ସବୁଜ ହାଇଡ୍ରୋଜେନର ହବ ବିକାଶ ପାଇଁ ୪୦୦ କୋଟିର ବ୍ୟବସ୍ଥା କରାଯାଇଛି।

ଜାତୀୟ ଗ୍ରୀନ ହାଇଡ୍ରୋଜେନ ମିଶନ ପାଇଁ ୧୯,୭୪୪ କୋଟି ଟଙ୍କା ମଞ୍ଜୁର ହୋଇଥିବା ସେ ସୂଚନା ଦେଇଛନ୍ତି। ଏହି ମିଶନରେ ଆଠ ଲକ୍ଷ କୋଟି ଟଙ୍କାର ସିଧାସଳଖ ବିନିଯୋଗ ହେବ। ଏହା ଦ୍ୱାରା ୬ ଲକ୍ଷ ନିଯୁକ୍ତି ସୁଯୋଗ ହେବ। ଏହା ସହିତ ଗ୍ରୀନ ହାଉସ ନିର୍ଗମନ ୫୦ ନିୟୁତ ଟନ ହ୍ରାସ ପାଇବ ।

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି ଯେ, ହିମାଚଳ ପ୍ରଦେଶ ପାଇଁ ୩୮୨ ମେଗାୱାଟ ସୁନ୍ନି ଡ୍ୟାମ ଜଳ ବିଦ୍ୟୁତ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏହାର ମୂଲ୍ୟ ୨,୬୧୪ କୋଟି ଟଙ୍କା ହେବ। ଏହା ସତଲେଜ ନଦୀ ଉପରେ ନିର୍ମାଣ ହେବ।

Related Posts