ଚେନ୍ନାଇ: କେନ୍ଦ୍ର ଅର୍ଥମନ୍ତ୍ରୀ ମାୟଲାପୁର ଅନ୍ତର୍ଗତ ସାଉଥ୍‌ ମାଡା ଷ୍ଟ୍ରିଟ୍‌ରେ କିଛି ପନିପରିବା କିଣାକିଣି କରିଛନ୍ତି। ସେ କିଣିଥିବା ପରିବାପତ୍ରରେ ଅଛି, କଟଫଳା (ମଟର ଆକୃତିର କ୍ଷୁଦ୍ର ବାଇଗଣ), ଜଙ୍ଗଲୀ ମାଟିଆଳୁ, ୫ ଅଟା ସବୁଜ କୋଶିଳା ଓ ବହୁଫଳା ଆଦି ଫଳଫୁଲୁରୀ।

ତାଙ୍କ ଅଫିସିଆଲ୍‌ ହ୍ୟାଣ୍ଡଲ୍‌ରୁ ସେୟାର୍‌ ହୋଇଥିବା ଟୁଇଟ୍‌ରେ ଉଲ୍ଲେଖ ଅଛି: ଦିନିକିଆ ଚେନ୍ନାଇ ଗସ୍ତ ସମୟରେ ସୀତାରମଣ ମାୟଲାପୁର ବଜାରେ କିଛି ସମୟ ଅଟକି ଉଠାଦୋକାନୀ ଓ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଆଳାପ କରି ପରିବାପତ୍ର ମଧ୍ୟ କିଣିଛନ୍ତି।

କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସାଥୀରେ ଯାଇଥିବା ‘ବିଜେପି’ ବିଧାୟକ ବନତି ଶ୍ରୀନିବାସନ୍‌ କହିଛନ୍ତି ଯେ, ସୀତାରମଣ ଖଡ଼ା କିଣିବାକୁ ଅଟକି ଥିଲେ। ଖଡ଼ା ନ ମିଳିବାରୁ ଅନ୍ୟ ଶାଗ କିଣିଲେ। ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଥମେ ପ୍ରଥମେ ଦୋକାନୀମାନେ ବନ୍ଧୁକଧାରୀ ସୁରକ୍ଷାକର୍ମୀଙ୍କୁ ଦେଖି ଡରି ଯାଇଥିଲେ। କିନ୍ତୁ, ସେ କିଏ ବୋଲି ଆମେ ବୁଝାଇଦେବା ପରେ ମହିଳା ଦୋକାନୀମାନଙ୍କର ଭୟ ଦୂରେଇ ଗଲା ଓ ସେମାନେ ପାଖ ହୋଟେଲକୁ ଯାଇ କପେ କଫି ପିଇବାକୁ ତାଙ୍କୁ ନିମନ୍ତ୍ରଣ କଲେ।

କିନ୍ତୁ, ଘରକୁ ଯିବା ପାଇଁ ଉଡ଼ାଜାହାଜ ଚଢ଼ିବାକୁ ଥିବାରୁ ସେ ସେଠାରେ ମାତ୍ର ୨୦ ମିନିଟ୍‌ ରହିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି, ସାନ ଥିଲାବେଳେ ମାୟଲାପୁରରେ ସେ ଗ୍ରୀଷ୍ମକାଳ ଅତିବାହିତ କରିଥିବାରୁ ସେ ସ୍ଥାନକୁ ସେ ଭଲରୂପେ ଜାଣିଛନ୍ତି।