‘ବୟସ ଅଧିକ ହେତୁ ନୀତିଶ କ’ଣ କହୁଛନ୍ତି ତାହା ନିଜେ ମଧ୍ୟ ଜାଣିପାରୁ ନାହାନ୍ତି’: ପ୍ରଶାନ୍ତ କିଶୋର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଉଭୟ ଉଭୟଙ୍କ ବିରୋଧରେ ଖୋଲା ଖୋଲି ବୟାନବାଜୀ କରୁଛନ୍ତି। ଜେଡିୟୁକୁ କଂଗ୍ରେସ ସହ ମିଶ୍ରଣ କରିବାକୁ ପ୍ରସ୍ତାବ ଦେଇଥିବା ନୀତିଶଙ୍କ ଅଭିଯୋଗକ ପରେ ଆଜି ଏହାର ଉତ୍ତର ଦେଇଛନ୍ତି ପ୍ରଶାନ୍ତ। ନୀତୀଶ କୁମାରଙ୍କୁ ସେ ପରୋକ୍ଷରେ ବୁଢ଼ା ତଥା ବୟସ୍କ ବୋଲି କହିଛନ୍ତି।ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଛନ୍ତି, ନୀତୀଶଙ୍କ ଉପରେ ଧୀରେ ଧୀରେ ବୟସର ପ୍ରଭାବ ଦେଖିବାକୁ ମିଳିଛି। ସେ ବୟସ୍କ ହୋଇଗଲେଣି। ସେ ଏପରି କିଛି ଲୋକଙ୍କ ସହ ଘେରି ଯାଇଛନ୍ତି ଯେ, ଯେଉଁଥିରେ ନିଜ ଉପରେ ତାଙ୍କର ବିଶ୍ୱାସ ନାହିଁ। ସେ ଏକୁଟିଆ ପଡ଼ିଯାଇଥିବାରୁ ଏପରି କହୁଛନ୍ତି। ବୟସ ଅଧିକ ହେତୁ ନୀତିଶ କ’ଣ କହୁଛନ୍ତି ତାହା ନିଜେ ବି ଜାଣିପାରୁ ନାହାନ୍ତି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।

ନୀତୀଶ କହୁଛନ୍ତି ଯେ, ମୁଁ ବିଜେପିର ଏଜେଣ୍ଡା ଉପରେ କାମ କରୁଛି। ପୁଣି କହୁଛନ୍ତି ମୁଁ କଂଗ୍ରେସ ଆଉ ଜେଡିୟୁକୁ ମିଶ୍ରଣ କରିବାକୁ କହିଥିଲି। ଯଦି ମୁଁ ବିଜେପିର ଏଜେଣ୍ଡା ଉପରେ କାମ କରିବି ତେବେ କଂଗ୍ରେସ ଓ ଜେଡିୟୁକୁ ମଜଭୁତ କରିବା ପାଇଁ ସେମାନଙ୍କୁ କାହିଁକି ଏକାଠି ହେବାକୁ କହିବି ବୋଲି ପ୍ରଶାନ୍ତ କିଶୋର ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ନିକଟରେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ପ୍ରଶାନ୍ତ କିଶୋରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ୪-୫ ବର୍ଷ ତଳେ ପ୍ରଶାନ୍ତ କିଶୋର ତାଙ୍କ ଦଳକୁ କଂଗ୍ରେସ ସହ ମିଶିବା ପାଇଁ ପ୍ରସ୍ତାବ ଦେଇଥିବା ନୀତୀଶ କୁମାର କହିଥିଲେ। କିନ୍ତୁ ଏହି ପ୍ରସ୍ତାବରେ ସେ ରାଜି ହୋଇନଥିଲେ ବୋଲି ନୀତୀଶ କହିଥିଲେ।

Related Posts