ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଘନୀଭୂତ ହେବାରେ ଲାଗିଥିବା ବେଳେ, ରୁଷ ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଛି | ଆଜିକୁ ଯୁଦ୍ଧ ୯ ଦିନରେ ପହଁଚିଲାଣି | ରୁଷ ସେନାଙ୍କ ଆକ୍ରମଣ ରେ ୟୁକ୍ରେନ ର ସ୍ଥିତି ସଂଘିନ ହୋଇପଡିଥିବା ବେଳେ, ରୁଷ ବିରୋଧରେ ଅନେକ ଦେଶ ଯୁଦ୍ଧ କୁ ନେଇ କଟକଣା ଜାରି କରିଛନ୍ତି | ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ- ବାଇଡେନ୍ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଦେଇଛନ୍ତି ଖୋଲା ପ୍ରସ୍ତାବ । କହିଛନ୍ତି ଯଦି ପୁଟିନ ଯୁଦ୍ଧ ରୋକିବେ ତେବେ ଯାଇ ତାଙ୍କ ଉପରେ ଅନ୍ତର୍ଜାତୀୟ ସ୍ତରରେ ଲାଗିଥିବା ସମସ୍ତ ପ୍ରତିବନ୍ଧକକୁ ହଟାଇଦିଆଯିବ ।

ସୂଚନା ମୁତାବକ, ୟୁୁକ୍ରେନ ସହ ଯୁଦ୍ଧ ଆରମ୍ଭ ହେବା ପରେ ଋଷ ଉପରେ ଅନ୍ତର୍ଜାତୀୟ ସ୍ତରରେ ପାଶ୍ଚାତ୍ୟ ରାଷ୍ଟ୍ର ଓ ଆରବୀୟ ରାଷ୍ଟ୍ର ଗୋଟିଏ ପଟେ ଗୋଟିଏ ପ୍ରତିବନ୍ଧକ ଲଗାଇଚାଲିଛନ୍ତି । ବିଭିନ୍ନ ରାଷ୍ଟ୍ର ରାଷ୍ଟ୍ରପତି ପୁଟିନ ଓ ତାଙ୍କ ମନ୍ତ୍ରୀଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତି କରିବାକୁ ଘୋଷଣା କରାଯାଇଥିଲା । ଏହାସହ କ୍ରୀଡା ସ୍ତରରେ ମଧ୍ୟ ଋଷ ଉପରେ ବଳ କଷା ଯାଇଛି । ଫୁଟବଲ ବିଶ୍ୱକପ୍, ଆଇସ୍ ହକି ସମେତ ଅଲିମ୍ପିକ୍ସରୁ ମଧ୍ୟ ଋଷକୁ ବାଦ ୍ଦେବାକୁ ଘୋଷଣା କରାଯାଇଛି । ତେବେ ଯଦି ଯୁଦ୍ଧ ବନ୍ଦ କରିବାକୁ ପୁଟିନ ଘୋଷଣା କରନ୍ତି ତେବେ ସବୁ କ୍ଷେତ୍ରରୁ ପ୍ରତିବନ୍ଧକକୁ ହଟାଇ ଦେବାକୁ ଘୋଷଣା କରିଛନ୍ତି ବାଇଡେନ୍ ।

ଅନ୍ୟପଟେ ଯୁଦ୍ଧକୁ ଏଡ଼ାଇବା ପାଇଁ ଉଭୟ ଦେଶ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ବିଫଳ ହୋଇଛି | ଅପରପକ୍ଷେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ବସିଥିବା କ୍ୱାଡ ବୈଠକ ଶେଷ ହୋଇଛି | ଯୁଦ୍ଧ ପ୍ରସଙ୍ଗକୁ ନେଇ ଭାରତର ଆଭିମୁଖ୍ୟକୁ ନେଇ ୟୁରୋପ ଓ ଆମେରିକା ପ୍ରଶ୍ନ ଉଠାଉଥିବା ବେଳେ ଭାରତ ନିଜ ପକ୍ଷ ରହିଛି । ଅଲୋଚନା ଓ କୂଟନୀତି ମାଧ୍ୟମରେ ବିବାଦର ସମାଧାନ ହେବା ଉଚିତ ବୋଲି କହିଛନ୍ତି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିବାଦର ସମାଧାନ ହେବା ଜରୁରୀ , ଆଉ ଏଥିପାଇଁ ଆଲୋଚନା ଓ କୂଟନୀତି ହିଁ ପ୍ରକୃତ ମାଧ୍ୟମ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କ୍ୱାଡ ବୈଠକରେ ଯୋଗଦେବା ଅବସରରେ ସେ ଏହା କହିଛନ୍ତି ।

ଯୁଦ୍ଧ ଜାରି ରହିଥିବା ବେଳେ ରୁଷ୍-ୟୁକ୍ରେନ ମଧ୍ୟରେ ପୁଣି ବସିବ ତୃତୀୟ ପର୍ଯ୍ୟାୟ ବୈଠକ । ଏନେଇ ଉଭୟ ପକ୍ଷ ରାଜି ହୋଇଛନ୍ତି । ଗତକାଲି ଯୁଦ୍ଧର ଅଷ୍ଟମ ଦିନରେ ଉଭୟ ପକ୍ଷ ମଧ୍ୟରେ ଦ୍ୱିତୀୟ ବୈଠକ ବସିଥିଲା । ବେଲାରଷ୍ ସୀମାରେ ଉଭୟ ଦେଶର ଅଧିକାରୀ ଆଲୋଚନା କରିଥିଲେ । ପୂର୍ବରୁ ମଧ୍ୟ ଏକ ବୈଠକ ବସିଥିଲା । ହେଲେ ଏହି ଦୁଇ ବୈଠକରୁ କୌଣସି ସମାଧାନ ବାହାରି ପାରି ନାହିଁ । ତେଣୁ ତୃତୀୟ ବୈଠକ ଉପରେ ଏବେ ନଜର ଅଟକିଛି । ତେବେ ତୃତୀୟ ବୈଠକ କେବେ ହେବ, ସ୍ଥିର ହୋଇପାରି ନାହିଁ |