ସତ୍ୟପାଠ ବ୍ୟୁରୋ, 29/08/2026: ବେଆଇନ ଫ୍ଲାଇ ଆସ୍ ଡମ୍ପିଂ: ବେଦାନ୍ତ ଉପରେ ୧.୪୬ କୋଟିର ପରିବେଶ କ୍ଷତିପୂରଣ

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅଧୀନ ମାଣ୍ଡିଆକୁଦରସ୍ ଜିପ୍ରା ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍‌ର ପାର୍କ ଅଞ୍ଚଳରେ ବେଆଇନ ଭାବେ ବିପୁଳ ପରିମାଣର ଫ୍ଲାଇ ଆସ୍ ପକାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏନେଇ ସମାଜସେବୀ ରବୀନ୍ଦ୍ର କୁମାର ପ୍ରଧାନ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ତଦନ୍ତ କରାଯାଇଥିଲା।

ରାଉରକେଲା ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଅଧିକାରୀମାନେ ଗତ ୭ ଜୁଲାଇ ୨୦୨୨ରେ ଘଟଣାସ୍ଥଳ ପରିଦର୍ଶନ କରି ଯାଞ୍ଚ କରିଥିଲେ। ତଦନ୍ତରେ ଅଭିଯୋଗରେ ଥିବା ବେଆଇନ ଫ୍ଲାଇ ଆସ୍ ଡମ୍ପିଂ ଘଟଣା ସତ୍ୟ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ସ୍ଥାନଟି ରାଜଗାଙ୍ଗପୁର ତହସିଲର ମାଣ୍ଡିଆକୁଦର ମୌଜାରେ ରହିଛି।

ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ, ଡମ୍ପିଂ ସ୍ଥଳ ନିକଟରେ ପ୍ରାୟ ୧୦୦ ମିଟର ଦୂରରେ ଏକ ପ୍ରାକୃତିକ ନାଳ ରହିଛି। ବର୍ଷା ସମୟରେ ଫ୍ଲାଇ ଆସ୍ ଚାଷଜମିକୁ ପ୍ରବାହିତ ହୋଇଯିବା ରୋକିବା ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନଥିବା ମଧ୍ୟ ତଦନ୍ତରେ ଜଣାପଡ଼ିଛି। ଏହାଛଡ଼ା ଡମ୍ପିଂ ସ୍ଥଳରେ ମାଟି ଆବରଣ ଦିଆଯାଇନଥିବା ଏବଂ ଆସ୍ ପରିବହନ କିମ୍ବା ଲେଭେଲିଂ ପାଇଁ କୌଣସି ସ୍ଥାନ ମିଳିନଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଉକ୍ତ ସ୍ଥାନରେ ଫ୍ଲାଇ ଆସ୍ ଭର୍ତ୍ତି କିମ୍ବା ପକାଇବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୌଣସି ଶିଳ୍ପକୁ ଅନୁମତି ଦିଆଯାଇନଥିବା ତଦନ୍ତ ରିପୋର୍ଟରେ ସ୍ପଷ୍ଟ କରାଯାଇଛି। ଏନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମେମ୍ବର ସେକ୍ରେଟାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ତଦନ୍ତ ରିପୋର୍ଟରେ ଉକ୍ତ ଫ୍ଲାଇ ଆସ୍ ଡମ୍ପିଂ ସହିତ ବେଦାନ୍ତ ଲିମିଟେଡ୍‌ର ସମ୍ପୃକ୍ତି ଥିବା ଦର୍ଶାଯାଇଛି ଏବଂ ଘଟଣାସ୍ଥଳର ପୁନରୁଦ୍ଧାର ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସୁପାରିଶ କରାଯାଇଛି।

ଏହି ପରିବେଶ କ୍ଷତିପୂରଣ ରାଶି ଆଦାୟ ପାଇଁ ଅତିରିକ୍ତ ମୁଖ୍ୟ ପରିବେଶ ବିଜ୍ଞାନୀ, ସିଟିଓ ସେଲ୍ ସୋହନ ଗିରିଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଥିବା ଜଣାପଡ଼ିଛି। ୧ କୋଟି ୪୬ ଲକ୍ଷ ଟଙ୍କାର ଏହି ପରିବେଶ କ୍ଷତିପୂରଣ ପ୍ରକୃତରେ ଆଦାୟ ହେବ ନା ଫାଇଲ୍‌ରେ ହିଁ ସୀମିତ ରହିଯିବ? ସୋହନ ଗିରିଙ୍କ ପକ୍ଷରୁ ନିୟମ ଅନୁଯାୟୀ ରାଶି ଆଦାୟ କରାଯିବ କି ମାମଲାଟି ଚାପି ଦିଆଯିବ, ତାହା ଦେଖିବାକୁ ବାକି ରହିଲା।