ରାଞ୍ଚି: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ବୟାନ ଦେବା ଘଟଣାକୁ ନେଇ ଜୋର ଧରିଛି ରାଜନୀତି | ଅନ୍ୟପଟେ ହିଂସାକାଣ୍ଡ ମଧ୍ୟ ବଢିବାକୁ ଲାଗିଛି | ଦେଶର ବିଭିନ୍ନ ପ୍ରାନ୍ତରେ ବିକ୍ଷୋଭ ଜାରି ରହିଛି | ଏହି କ୍ରମରେ ଝାରଖଣ୍ଡର ରାଞ୍ଚିରେ ନୂପୁର ଶର୍ମାଙ୍କ ବୟାନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ବେଳେ ଲଙ୍କାକାଣ୍ଡ ଘଟିଛି। ବ୍ୟାପକ ଭଙ୍ଗାରୁଜା ସମେତ ପୋଡ଼ାଜଳା ଦେଖିବାକୁ ମିଳିଛି। ଏଥିରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ନୂପୁର ଶର୍ମାଙ୍କ ଗିରଫଦାରୀ ପାଇଁ ଶୁକ୍ରବାର ବିକ୍ଷୋଭ ଚାଲିଥିବା ବେଳେ ବିକ୍ଷୋଭକାରୀ ଓ ପୁଲିସ୍ ମୁହାଁମୁହିଁ ହୋଇଥିଲେ। ବିକ୍ଷୋଭକାରୀମାନେ ଟେକାପଥର ମାଡ଼ କରିବାରୁ ପୁଲିସ୍ ବାଧ୍ୟ ହୋଇ ଲାଠିଚାର୍ଜ କରିଥିଲା। ସେହିପରି ଟିୟର ଗ୍ୟାସ ମଧ୍ୟ ପ୍ରୟୋଗ କରାଯାଇଥିଲା। ଲୋକମାନେ ଗାଡ଼ି ମୋଟର ଭାଙ୍ଗିବା ସହ ସ୍ଥାନୀୟ ଅଞ୍ଚଳରେ ଥିବା କିଛି ଦୋକାନକୁ ମଧ୍ୟ ପଥର ମାଡ଼ କରିଥିଲେ।
ଏହି ଖଣ୍ଡଯୁଦ୍ଧରେ ଆହତ ହୋଇଥିବା ପ୍ରାୟ ୧୨ ଜଣଙ୍କୁ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ସାଇନ୍ସକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣ ଆଖି ବୁଜିଛନ୍ତି। ଏବେ ବି ଆଉ ୧୦ ଜଣଙ୍କ ଚିକିତ୍ସା ଚାଲିଛି। ଶୁକ୍ରବାର ସଂଘର୍ଷକୁ ଦୃଷ୍ଟିରେ ରଖି ରାଜଧାନୀ ରାଞ୍ଚିର ବିଭିନ୍ନ ପ୍ରାନ୍ତରେ କର୍ଫ୍ୟୁ ଲାଗୁ କରାଯାଇଛି। ଶୁକ୍ରବାର ଶତାଧିକ ଲୋକ ରାଞ୍ଚିର ବିଭିନ୍ନ ପ୍ରାନ୍ତରେ ଏକାଠି ହୋଇ ନୂପୁର ଶର୍ମାଙ୍କ ଗିରଫଦାରୀ ପାଇଁ ଦାବି କରିଥିଲେ।
ସେମାନେ ବିକ୍ଷୋଭ କରୁଥିବା ବେଳେ ପୁଲିସ୍ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ହେଲେ ଏତିକି ବେଳେ ବିକ୍ଷୋଭରେ ସାମିଲ ଥିବା କିଛି ଲୋକ ପୁଲିସ୍ ଉପରକୁ ପଥର ମାଡ଼ କରିଥିଲେ। ପୁଲିସ୍ ଏଥିପାଇଁ ଫାଙ୍କା ଗୁଳି ଚଳନା ମଧ୍ୟ କରିଥିବା ଜଣାପଡ଼ିଛି।





