ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ ସୂଚନା ଜାରି: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାରେ ରବିବାର ଛୁଟି ବାତିଲ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବାତ୍ୟ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ । ଆନ୍ଧ୍ର, ତାମିଲନାଡୁ, ପୁଡୁଚେରୀ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ବାତ୍ୟା ସତର୍କତା ଜାରି କରିଛି ବିଭାଗ । ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଅଧିକ ଘନୀଭୂତ ହୋଇ ଆଜି ଗଭୀର ଅବପାତରେ ପରିଣତ ହେବ ଏଂ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି ।

ଏହା ଧୀରେ ଧୀରେ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ଅବପାତ ଏବେ ପୁଡୁଚେରୀଠାରୁ ୫୦୦ କିମି, ଚେନ୍ନାଇଠାରୁ ୫୧୦ କିମି ଦୂରରେ ଅଛି । ୪ ତାରିଖରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡାରୁ ଅଧିକ ନିକଟତର ହେବ । ୫ ତାରିଖ ପୂର୍ବାହ୍ନରେ ଏହା ଆନ୍ଧ୍ରର ନେଲୋର ଏବଂ ମଛଲିପଟନମ ଅତିକ୍ରମ କରିବ ବୋଲି ଆକଳନ କରିଛି ଆଇଏମଡି । ଏହି ସମୟରେ ପବନର ବେଗ ୮୦ରୁ ୯୦ କିମି ରହିବ । ବେଳେବେଳେ ପବନର ବେଗ ୧୦୦ କିମି ରହିବ ବୋଲି କହିଛି ଆଇଏମଡି

ଏଥିପାଇଁ ଓଡ଼ିଶାକୁ ସତର୍କ ସୂଚନା ଜାରି କରିଛି ବିଭାଗ । ଭୁବନେଶ୍ୱର ଆଞ୍ଚିଳିକ ପାଣିପାଗ ବିଭାଗ ଟୁଇଟ କରି କହିଛି, ‘ଗତ ୬ ଘଣ୍ଟା ମଧ୍ୟରେ ପ୍ରତି ୧୩ କିମି ବେଗରେ ପଶ୍ଚିମ-ଉିତ୍ତର-ପଶ୍ଚିମ ଦିଗରେ ଗତି କରି ଗତକାଲିର ଅବପାତ ଆହୁରି ଘନୀଭୂତ ହୋଇଛି । ଏହା ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଗଭୀର ଅବପାତ ରୂପ ନେଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ବାତ୍ୟା ରୂପ ନେବ।’

ଏହାର ପ୍ରଭାବରେ ଡିସେମ୍ବର ୩ରୁ ୭ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୫ ତାରିଖରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ୬ ତାରିଖରେ ପୁରୀ ସମେତ କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁରରେ ପ୍ରବଳବର୍ଷା ସମ୍ଭାବନା ଥିବାବେଳେ ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଜିଲ୍ଲାରୂ କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସେହିପରି ୭ ତାରିଖରେ କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, କନ୍ଧମାଳ, ଗଜପତି, ରାୟଗଡା, କୋରାପୁଟ ଏବଂ ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସୀଜୀବୀମାନଙ୍କୁ ଗଭୀର ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି ।

ବାତ୍ୟା ସମ୍ଭାବନାକୁ ଦୃଷ୍ଟିରେ ରଖି ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ରବିବାର ଛୁଟିକୁ ବାତିଲ କରାଯାଇଛି ।

Related Posts