କାଠଯୋଡ଼ି ବେଆଇନ ବାଲି ଉଠାଣ ନେଇ ଜନସ୍ବାର୍ଥ ମାମଲା: ପୂର୍ବତନ କଟକ ଜିଲ୍ଲାପାଳଙ୍କ ଉପରେ ବର୍ଷିଲେ ହାଇକୋର୍ଟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କାଠଯୋଡି ନଦୀରୁ ବେଆଇନ ବାଲି ଉଠାଣକୁ ନେଇ ଦାଖଲ ଏକ ଜନସ୍ବାର୍ଥ ମାମଲାର ବିଚାର କରି ହାଇକୋର୍ଟଙ୍କ ଏକ ଦୁଇ ଜଣିଆ ଖଣ୍ଡପୀଠ କଟକର ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଉପରେ ଭୀଷଣ ବର୍ଷିଛନ୍ତି। ରାଜ୍ୟର ଜଣେ ଦାୟିତ୍ବ ସଂପନ୍ନ ଅଧିକାରୀ ହୋଇ କିଭଳି ‌ସେ ତାଙ୍କ ସତ୍ୟପାଠରେ ବିଭ୍ରାନ୍ତିକର ତଥା ତ୍ରୁଟିପୂର୍ଣ୍ଣ ତଥ୍ୟ ଦେଇଛନ୍ତି, ତାହାକୁ ନେଇ ପ୍ରଶ୍ନ କରିବା ସହିତ ଏଭଳି ଏକ ଭୁଲ ସତ୍ୟପାଠ ପାଇଁ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି କହିଛନ୍ତି।ଏଭଳି କାର୍ଯ୍ୟାନୁଷ୍ଠାନ ଅନ୍ୟମାନଙ୍କ ପାଇଁ ଏକ ଶିକ୍ଷା ହେବ ବୋଲି ହାଇକୋର୍ଟ କହିଛନ୍ତି। କିନ୍ତୁ ଏହି ତ୍ରୁଟି ସୁଧାରି ଯଦି ୧୫ ଦିନ ଭିତରେ ସାନି ସତ୍ୟପାଠ ଦାଖଲ ହୁଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।

ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ବି.ଆର. ଷଡଙ୍ଗୀ ଓ ଜଷ୍ଟିସ୍‌ ମୁରାହରି ଶ୍ରୀ ରମଣଙ୍କ ଖଣ୍ଡପୀଠ ଜନସ୍ବାର୍ଥ ମାମଲାର ଶୁଣାଣି କରି ଜନସାଧାରଣଙ୍କ ସ୍ବାସ୍ଥ୍ୟ ଓ ପରିବେଶକୁ ପ୍ରାଥମିକତା ଦେବା ସହିତ ବାଲି ଉଠାଣ ପାଇଁ ରହିଥିବା ନିୟମର ଉଲ୍ଲଂଘନ, ସଂପୂର୍ଣ୍ଣ ‌ବୈଷୟିକ ପ୍ରଣାଳୀରେ ବାଲି ଉଠାଣକୁ ଆଇନ ବିରୋଧୀ କହିଛନ୍ତି। ଆବେଦନକାରୀ ପ୍ରଶାନ୍ତ କୁମାର ଦାସ କାଠଯୋଡି ନଦୀରୁ ମେସିନ୍‌ ସହାଯ୍ୟରେ ବେଆଇନ ବାଲି ଉଠାଣକୁ ନେଇ ଏକ ଜନସ୍ବାର୍ଥ ମାମଲା ଦାୟର କରିଥି‌ଲେ। ପ୍ରଶାସନ ବେଆଇନ ବାଲି ଚାଲାଣ ପାଇଁ ପରୋକ୍ଷରେ ପ୍ରୋତ୍ସାହନ ଦେବା ସହିତ ଅଭିସନ୍ଧି ରଖିଥିବା ଆବେଦନକାରୀ ଦର୍ଶାଇବା ସହିତ ଏହାର ଏକ ନିରପେକ୍ଷ ତଦନ୍ତ ପାଇଁ ପ୍ରାର୍ଥନା କରିଥିଲେ। ବାଲି ଉଠାଣ ଯୋଗୁଁ ଜଳ ଓ ବାୟୁ ପ୍ରଦୂଷଣ ହେବା, ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବଡ ଗାଡି‌ରେ ବାଲି ଚାଲାଣ‌ ଯୋଗୁଁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ଓ ଦୁର୍ଘଟଣା ଘଟୁଥିବା ଅଭିଯୋଗରେ ଦର୍ଶାଇଥିଲେ। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ କଟକ ଜିଲ୍ଲାପାଳ ଜୁଲାଇ ୧୯, ୨୦୨୩ରେ ହାଇକୋର୍ଟଙ୍କ ନିକଟରେ ଏକ ସତ୍ୟପାଠ ଦାଖଲ କରିଥିଲେ। ତେବେ ବାସ୍ତବ ସ୍ଥିତି ଓ ସତ୍ୟପାଠରେ ଦାଖଲ ହୋଇଥିବା ତଥ୍ୟ, ପ୍ରମାଣ ମଧ୍ୟରେ ପ୍ରଭେଦ ରହିବାରୁ ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ପୂର୍ବତନ ଜିଲ୍ଲାପାଳଙ୍କ ଉପରେ

ଏଭଳି ବିରକ୍ତି ପ୍ରକାଶ କରିଛନ୍ତି। ତାଙ୍କୁ ଦିଆଯାଇ ଥିବା ତଥ୍ୟକୁ ଯାଞ୍ଚ ନ କରି ସେ ତାହାକୁ ଅଦାଲତରେ ସତ୍ୟପାଠ ଆକାରରେ ଦାଖଲ କରିବା ମିଛ ସତ୍ୟପାଠ ବୋଲି ଅଦାଲତ କହିଛନ୍ତି। ଅନ୍ୟପଟେ ‌ବାଲି ଉତ୍ତୋଳନରେ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତି ବା ଗାଡ଼ରୁ କେବଳ ଜରିମାନା ଆଦାୟ କରି ଛାଡ଼ି ଦିଆଯିବା ଘଟଣାକୁ ‌ମଧ୍ୟ ଅଦାଲତ ନାପସନ୍ଦ କରିଛନ୍ତି। ଏହି ମାମଲାର ଆବେଦନକାରୀ ପ୍ରଶାନ୍ତ କୁମାର ଦାସଙ୍କ ପକ୍ଷରୁ ଆଇନଜୀବୀ ଏସ.କେ. ଦଲାଇ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏ.ଜି.ଏ ଦେବକାନ୍ତ ମହାନ୍ତି ମାମଲା ପରିଚାଳନା କରୁଥିଲେ।

Related Posts