ଏକଛତ୍ରବାଦୀ ମୋଦି ସରକାରଙ୍କୁ ଆମକୁ ହଟାଇବାକୁ ପଡିବ : ଲାଲୁ ଯାଦବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ପରିବର୍ତ୍ତିତ ରାଜନୈତିକ ସମୀକରଣ ଏବଂ କ୍ୟାବିନେଟ ସମ୍ପ୍ରସାରଣ ମଧ୍ୟରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ବୁଧବାର ଲାଲୁ ତାଙ୍କର ପୁରୁଣା ଶୈଳୀରେ ନଜର ଆସିଥିଲେ। ୨୦୨୪ ଲୋକ ସଭା ନିର୍ବାଚନ ରଣନୀତି ସମ୍ବନ୍ଧୀୟ ପ୍ରଶ୍ନ ଉପରେ ସେ ଗଣମାଧ୍ୟମକୁ କହିଛନ୍ତି, ହଟାଇବାର ଅଛି ତ ଏକଛତ୍ରବାଦୀ ମୋଦି ସରକାରଙ୍କୁ ଆମକୁ ହଟାଇବାକୁ ପଡିବ।ବିହାରର ନୂତନ ମନ୍ତ୍ରୀମଣ୍ଡଳ ବିରୋଧରେ ହୋଇଥିବା ଅଭିଯୋଗ ଉପରେ ଲାଲୁ ଯାଦବ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ଭାଜପା ନେତା ସୁଶୀଲ ମୋଦିଙ୍କ ଅଭିଯୋଗ ଉପରେ ଲାଲୁ ଯାଦବ କହିଛନ୍ତି, ସୁଶୀଲ ମୋଦିଙ୍କର କ’ଣ ଅଛି? ସେ ଜଣେ ମିଥ୍ୟାବାଦୀ। ନୂଆ ମନ୍ତ୍ରୀମଣ୍ଡଳକୁ ନେଇ କୌଣସି ଆପତ୍ତି ଏବଂ ଅଭିଯୋଗ ନାହିଁ ବୋଲି ଲାଲୁ କହିଛନ୍ତି।

ସୂଚନା ଅନୁସାରେ ବିହାରର ନୂତନ ଆଇନ ମନ୍ତ୍ରୀ କାର୍ତ୍ତିକେୟ ସିଂ ଗତକାଲି ଶପଥ ନେଇଛନ୍ତି ଏବଂ ଗତକାଲି ତାଙ୍କୁ ଏକ ଅପହରଣ ମାମଲାରେ କୋର୍ଟରେ ଆତ୍ମସମର୍ପଣ କରିବାର ଥିଲା। ଏହି ପ୍ରସଙ୍ଗରେ ବିରୋଧୀ ତାଙ୍କ ଉପରେ ଟାର୍ଗେଟ୍‌ କରୁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଅସୁସ୍ଥତା ଯୋଗୁ ଲାଲୁ ପ୍ରସାଦ ଯାଦବ ଦିଲ୍ଲୀରେ ଦୀର୍ଘ ଦିନ ହେବ ଚିକିତ୍ସିତ ହେଉଥିଲେ। ଏହି ସମୟରେ ସେ ଗଣମାଧ୍ୟମ କିମ୍ବା ସୋସିଆଲ ମିଡିଆରେ କୌଣସି ବିବୃତ୍ତି ଦେଉ ନ ଥିଲେ। ତେବେ ଲାଲୁ ଆଜି ପାଟନାରେ ପହଞ୍ଚିଛନ୍ତି। ସେ ଏଠାକୁ ଆସିବା ମାତ୍ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି।

Related Posts