ଓଡ଼ିଶାରେ ଶତପ୍ରତିଶତ ଗରିବଙ୍କ କଲ୍ୟାଣ ନହେବା ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବୁ ନାହିଁ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ପରେ ବର୍ତ୍ତମାନ ଠାରୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପାଇଁ ରାଜନୈତିକ ଦଳମାନେ ପ୍ରସ୍ତୁତି ଆରମ୍ଭ କରିବାରେ ଲାଗିଛନ୍ତି । ଏହି କ୍ରମରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୪ ମସିହା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଟକର ମାହାଙ୍ଗାରୁ ବିଗୁଲ୍ ଫୁଙ୍କିଛନ୍ତି। ଓଡ଼ିଶାରେ ଶତପ୍ରତିଶତ ଗରିବଙ୍କ କଲ୍ୟାଣ ନ ହେବା ପର‌୍ୟ୍ୟନ୍ତ ଆମେ ବିଶ୍ରାମ ନେବାନାହିଁ ବୋଲି ଉପସ୍ଥିତ ଜନତାଙ୍କ ଜରିଆରେ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ମୋଦୀ ସରକାରଙ୍କ ୮ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି କଟକ ଜିଲ୍ଲା ମାହାଙ୍ଗା ପୋଡାମରାଇଠାରେ ଆୟୋଜିତ ‘ବିଶାଳ ଗରିବ କଲ୍ୟାଣ ସଭା’ରେ ବିଜେପି କର୍ମୀଙ୍କୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଯେଉଁ ଆହ୍ବାନ ଆମ ସାମ୍ନାରେ ରଖିଛନ୍ତି, ତାହାକୁ ଆମେ ପୂରଣ କରିବା। ପ୍ରଧାନମନ୍ତ୍ରୀ ସାରାଦେଶର ସେବା କରୁଛନ୍ତି ଏବଂ କାମ‌ରେ ଲାଗିବା ପାଇଁ ଆମକୁ ଆହ୍ବାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଓଡ଼ିଶାରେ ସବୁ ଗରିବଙ୍କୁ ପକ୍କା ଘର, ଶୌଚାଳୟ, ପିଇବା ପାଣି, ବିଜୁଳି, ବ୍ୟାଙ୍କ ଖାତା, ରନ୍ଧନ ଗ୍ୟାସ, ‘ୱାନ ନେସନ୍‌-ଓାନ୍ ରାସନ କାର୍ଡ’ ସହ ସମସ୍ତ ମୌଳିକ ସୁବିଧା ଉପଲବ୍ଧ କରାଇବା ପର‌୍ୟ୍ୟନ୍ତ ଆମ ଦଳର କାର‌୍ୟ୍ୟକର୍ତ୍ତାମାନେ ଅକ୍ଳାନ୍ତ ପରିଶ୍ରମ କରିବା ପାଇଁ ସଙ୍କଳ୍ପ ନେବାର ବେଳ ଆସିଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ରର ମୋଦୀ ସରକାର ଓଡ଼ିଶାକୁ କିଭଳି ଗୁରୁତ୍ବ ଦେଇ ଆସୁଛନ୍ତି, ତାହାର ଏକ ବିସ୍ତୃତ ସୂଚନା ଦେଇଥିଲେ। ସେ କହିଥିଲେ, ଏହି ୮ ବର୍ଷରେ ରାଜ୍ୟ ଓ ଦେଶର ଲୋକସେବାର ଜନସହଭାଗିତାର ଆନ୍ଦୋଳନ ନରେନ୍ଦ୍ର ମୋଦୀଙ୍କ ନାଁରେ ପୂରଣ ହୋଇଛି ।

‘ସବ୍‌କା ସାଥ,ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ’ର ମନ୍ତ୍ର ଦେଶର ବିକାଶକୁ ଗତିଶୀଳ କରିଛି । ଭାରତବର୍ଷରେ ଅନେକ ପ୍ରଧାନମନ୍ତ୍ରୀ କ୍ଷମତାରେ ରହିଥିଲେ। ମାତ୍ର, ନରେନ୍ଦ୍ର ମୋଦୀଙ୍କ ଭଳି ଓଡ଼ିଶାର ବିକାଶ ପାଇଁ କେହି ଦାୟିତ୍ବ ନେଇନାହାନ୍ତି। କେନ୍ଦ୍ର ସରକାର ଗରିବ କଲ୍ୟାଣକୁ ପ୍ରାଥମିକତା ଦେଇଆସୁଛନ୍ତି। ପକ୍କାଘର ପାଇଁ ଅନୁଦାନ ବୃଦ୍ଧି ପାଇଛି। ଜାତୀୟ ରାଜପଥ, ରେଳ, ବନ୍ଦର, ଶିଳ୍ପାୟନ, କରୋନା ଟିକା, ବ୍ୟାଙ୍କ୍ ଖାତାରେ ସିଧାସଳଖ ଟଙ୍କା, କରୋନା ସମୟରେ ଗରିବ କଲ୍ୟାଣ ଅନ୍ନ ଯୋଜନା ଭଳି ଜନକଲ୍ୟାଣକାରୀ ପଦକ୍ଷେପଗୁଡ଼ିକ ନିଆଯାଇଛି। ଏଥିସହିତ, ‘ମନ୍ କି ବାତ୍’ ଓ ‘ପଦ୍ମ ପୁରସ୍କାର’ ଦ୍ୱାରା ଜାତୀୟ ସ୍ତରରେ ଓଡ଼ିଶାର ସମ୍ମାନ ବଢ଼ିଛି। ଓଡ଼ିଶାର ମାନମର‌୍ୟ୍ୟାଦା, ଜନଜାତି, ଦଳିତଙ୍କ ସମ୍ମାନ ପାଇଁ ମୋଦୀ ସରକାର ନିରନ୍ତର କାମ କରୁଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts