ଭୁବନେଶ୍ୱର,୬/୧(ସତ୍ୟପାଠ ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ଅସନ୍ତୋଷ ଓ କଡା ତାଗିଦ ପରେ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିସକ୍ରମେ କେନ୍ଦ୍ର ସରକାର ବିଚାରପତି ନିଯୁକ୍ତିରେ ବିଳମ୍ବ କରୁଥିଲେ। ଏଥିପାଇଁ ସୁପ୍ରିମକୋର୍ଟ କ୍ଷୁବ୍ଧ ହେବା ସହ ଦେଶର ନିୟମ ପାଳନ କରିବାକୁ କେନ୍ଦ୍ର ସରକାରଙ୍କୁ କହିଥିଲେ । ସୁପ୍ରିମକୋର୍ଟଙ୍କ ଏପରି ବୟାନ ପରେ କେନ୍ଦ୍ର ସରକାର ଆଜି ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତା ୩ ଦିନ ମଧ୍ୟରେ ଉଚ୍ଚ ନ୍ୟାୟାଳୟରେ ୪୪ ଜଣ ବିଚାରପତିଙ୍କ ନିଯୁକ୍ତି ଉପରେ ମୋହର ମରାଯିବ ବୋଲି ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି।

ବିଚାରପତି ନିଯୁକ୍ତିରେ କେନ୍ଦ୍ର ସରକାର ବିଳମ୍ବ କରୁଥିବାରୁ ଏକ ପିଟିସନ ସୁପ୍ରିମକୋର୍ଟରେ ଦାଏର କରାଯାଇଥିଲା। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଯଥାଶୀଘ୍ର ପଡ଼ି ରହିଥିବା ବିଚାରପତିଙ୍କ ଫାଇଲକୁ ଅନୁମୋଦନ ଦେବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

ଶୁଣାଣି ବେଳେ ଉପସ୍ଥିତ ଥିବା ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀ ସର୍ବୋଚ୍ଚ ଅଦାଲତକୁ ପ୍ରତିଶ୍ରୁତି ଦେଇ କହିଛନ୍ତି, ସବୁ କିଛି ଧାର୍ଯ୍ୟ ସମୟ ମଧ୍ୟରେ ହେବ। ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବାକୁ କଲେଜିୟମ ପକ୍ଷରୁ ୧୦୪ ଜଣଙ୍କ ନାଁ ସୁପରିସ କରାଯାଇଛି। ଏହି ସୁପାରିସ କେନ୍ଦ୍ର ସରକାରଙ୍କ ପାଖରେ ରହିଛି। ଏହି ସପ୍ତାହ ଶେଷ ଭିତରେ ଏହା ମଧ୍ୟରୁ ୪୪ ବିଚାରପତିଙ୍କ ଫାଇଲକୁ ମଞ୍ଜୁରୀ ଦିଆଯିବ ବୋଲି ସେ କହିଛନ୍ତି।

ତେବେ ଜଷ୍ଟିସ ଏସକେ କୌଲ ଓ ଜଷ୍ଟିସ ଏଏସ୍‌ ଓକାଙ୍କ ଖଣ୍ଡପୀଠ ଭେଙ୍କଟରମଣୀଙ୍କୁ ପଚାରିଥିଲେ ଯେ କଲେଜିୟମ ପକ୍ଷରୁ ସୁପ୍ରିମକୋର୍ଟକୁ ପ୍ରମୋସନ ପାଇଁ ସୁପାରିସ କରାଯାଇଥିବା ୫ ଜଣଙ୍କ ସମ୍ପର୍କରେ କେନ୍ଦ୍ର ସରକାର କ’ଣ ନିଷ୍ପତ୍ତି ନେଇଛନ୍ତି। ଏହାର ଉତ୍ତରରେ ସେ କହିଥିଲେ ଯେ “ଏହି ପ୍ରସଙ୍ଗରେ ଭିନ୍ନନ୍ନ ମତ ରହିଛି। ଏହି ପ୍ରସଙ୍ଗକୁ ଲର୍ଡଶିପ କିଛି ସମୟ ଟାଳି ପାରିବେ? ମୋ ପାଖକୁ କିଛି ତଥ୍ୟ ଆସିଛି। କିନ୍ତୁ ମୋର କିଛି ଭିନ୍ନ ମତ ରହିପାରେ।” ଏହା ଶୁଣିବା ପରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଶୁଣାଣି ଫେବୃଆରୀ ୩ରେ କରାଯିବ ବୋଲି କହିଛନ୍ତି।

ଗତମାସରେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ କଲେଜିୟମ ୬ ଜଣଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପ୍ରମୋସନ ଦେବାକୁ ସୁପାରିସ କରିଥିଲେ। ଏହି ୫ ଜଣଙ୍କ ମଧ୍ୟରେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ପଙ୍କଚ ମିତ୍ତଲ ଓ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୟ କାରୋଲଙ୍କ ନାଁ ରହିଛି।