ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ବଢିବ ବର୍ଷା, ୨୪ ଘଣ୍ଟା ପାଇଁ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୮/୩(ସତ୍ୟପାଠ ବ୍ୟୁରୋ): ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ବଢିବ ବର୍ଷାର ପରିମାଣ । ଗତ ଦୁଇଦିନ ଧରି କେତେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ଏହାର ପ୍ରଭାବ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ବିଜୁଳି ସହ ବର୍ଷା ସମ୍ଭାବନା ରହିଛି । କୁଆପଥର ପଡିବା ସହ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହିସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏଥିସହିତ ଆଗାମୀ ୨୪ ଘଣ୍ଟା ପାଇଁ ପୁରୀ, ଗଞ୍ଜାମ, ଗଜପତି, ସୁନ୍ଦରଗଡ, ଦେବଗଡ, ବୌଦ୍ଧ, କନ୍ଧମାଳ, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲକୁ ୟେଲାେ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାର ଗୋଟିଏ ବା ୨ଟି ସ୍ଥାନରେ ଘଡଘଡି ସହ ବର୍ଷା ହେବା ସହ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

Related Posts