ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଶ୍ଚିମବଙ୍ଗରେ ଶିକ୍ଷକ ଭର୍ତ୍ତି ଘୋଟାଲା ମାମଲାରେ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ପାର୍ଥଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ୨୦ କୋଟି ନଗଦ ଟଙ୍କା ଜବତ ପରେ ତାଙ୍କୁ ଇଡି ଗିରଫ କରିଥିବା ନେଇ ସୂଚନା ମିଳିଛି ।ତେବେ ଗତକାଲି ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ଚଢ଼ାଉ କରିଥିଲା ଇଡି ।୨୬ ଘଣ୍ଟାର ମାରାଥନ ଜେରା ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଅବଶ୍ୟ ସକାଳେ ପାର୍ଥଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଥିବା ଖବର ସାମ୍ନାକୁ ଆସିଥିଲା । ଫଳରେ ୨ ଡାକ୍ତରଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସୂଚନା ଅନୁସାରେ, ପାର୍ଥ ଚାଟାର୍ଜୀଙ୍କୁ ଗିରଫ ପରେ ମେଡିକାଲ ନିଆଯାଇଛି ।
ତେବେ ମମତା ବାନାର୍ଜୀଙ୍କ ସରକାରରେ ଶିକ୍ଷାମନ୍ତ୍ରୀ ଥିବା ପାର୍ଥଙ୍କ ସମ୍ପର୍କୀୟ କୁହାଯାଉଥିବା ଅର୍ପିତ ମୁଖାର୍ଜୀଙ୍କ ଘରେ ଇଡି ରେଡ କରିବାରୁ ପ୍ରାୟ ୨୦ କୋଟି ଟଙ୍କାର କ୍ୟାସ ଜବତ ହୋଇଛି । ପାର୍ଥଙ୍କ ଘରେ ମଧ୍ୟ ଶୁକ୍ରବାରଠାରୁ ଚଢ଼ାଉ ଜାରି ରହିଛି । ଅର୍ପିତ ଏବେ ଇଡି ରେଡରୁ ମିଳିଥିବା ୨୦ କୋଟିକୁ ନେଇ ଚର୍ଚ୍ଚାରେ ଅଛନ୍ତି । କେନ୍ଦ୍ର ଏଜେନ୍ସିର ସୂଚନା ଅନୁସାରେ, ଶିକ୍ଷା ବିହାଗରେ ଭର୍ତ୍ତି ଘୋଟାଲାର ଯାଞ୍ଚ ସମୟରେ ଏଥିରେ ଅର୍ପିତାଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଥିଲା ।
