ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ସାରା ଦେଶର ନଜର ରହିଛି । ସେପଟେ ଆସନ୍ତା କାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି । ଯେଉଁଠି ୧୪୨ ଆସନରେ ଜନତା ନେତା ବାଛିବେ । ଏହାରି ଭିତରେ କୋଲକାତା, ଉତ୍ତର ୨୪ ପ୍ରଗଣା, ଦକ୍ଷିଣ ୨୪ ପ୍ରଗଣା, ହାଓଡ଼ା ଏବଂ ପଶ୍ଚିମ ମେଦିନିପୁର ଭଳି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ରହିଛି । ଏଥିଲାଗି ମୋଟ ୧ହଜାର ୪୪୮ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ଏହା ପୂର୍ବରୁ ଗତ ୨୩ ତାରିଖରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୫୨ଟି ଆସନରେ ଭୋଟ ହୋଇଥିଲା। ମେ’ ୪ରେ ଫଳ ପ୍ରକାଶ ପାଇବ। ତେବେ ପ୍ରଥମ ପର୍ଯ୍ୟାୟ ଭୋଟ୍ ରେ ୯୩ ପ୍ରତିଶତ ଭୋଟିଂ ହୋଇଥିବାରୁ ଦ୍ବିତୀୟ ପର୍ଯ୍ୟାୟରେ ବି ବମ୍ପର ଭୋଟିଂ ହେବ ବୋଲି ସମସ୍ତେ ଆଶାବାଦୀ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭବାନୀପୁର ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ନନ୍ଦୀଗ୍ରାମ ଭଳି ଆସନ ଉପରେ ସମସ୍ତଙ୍କ ନଜର ରହିଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ଏଥର ସୁରକ୍ଷା ବ୍ୟବସ୍ଥାକୁ ଅତି କଡ଼ାକଡ଼ି କରାଯାଇଛି । ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ସିସିଟିଭି ଏବଂ ୱେବକାଷ୍ଟିଂର ବ୍ୟବସ୍ଥା ହୋଇଛି।
