ବାହାନଗା ରେଳ ଦୁର୍ଘଟଣାର କାରଣ କଣ ?; ତଦନ୍ତ ରିପୋର୍ଟକୁ ନେଇ ଜଏଣ୍ଟ ଇନିସ୍ପେକ୍ସନ୍ କମିଟି ସଦସ୍ୟଙ୍କ ଅସହମତି

ଭୁବନେଶ୍ୱର,୭/୬(ସତ୍ୟପାଠ ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ବାହାନଗା ଠାରେ ଘଟିଯାଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ପଛର କାରଣ କଣ ? ସମସ୍ତଙ୍କ ମନରେ ଏହି ପ୍ରଶ୍ନ ରହିଥିବା ବେଳେ ବର୍ତ୍ତମାନ ରେଳ ବିଭାଗ ପକ୍ଷରୁ ଦିଆଯାଇଥିବା ଜଏଣ୍ଟ ଇନିସ୍ପେକ୍ସନ୍ କମିଟିର ପ୍ରାଥମିକ ତଦନ୍ତ ରିପୋର୍ଟ କୁ ନେଇ ଅସହମତି ପ୍ରକାଶ ପାଇଛି। ଆଉ ଅସହମତି ପ୍ରକାଶ କରିଛନ୍ତି ଏହି ଜଏଣ୍ଟ ଇନିସ୍ପେକ୍ସନ୍ କମିଟିର ଜଣେ ସଦସ୍ୟ। ଏହି ରିପୋର୍ଟରେ ଦୁର୍ଘଟଣା ପାଇଁ ସିଗନାଲ ରେ ତ୍ରୁଟି ଥିବା ଦାବି କରାଯାଇଥିବା ବେଳେ ଏହି ତଦନ୍ତ କମିଟିର ସଦସ୍ୟ ଥିବା ଏକେ ମହାନ୍ତ ଏହାକୁ ନେଇ ଅସହମତି ପ୍ରକାଶ କରିଛନ୍ତି।

ଏକେ ମହାନ୍ତ ବାଲେଶ୍ବର ଡିଭିଜନର ସିଗନାଲ ଓ କମ୍ୟୁନିକେସନ ବିଭାଗର ବରିଷ୍ଠ ସେକ୍ସନ ଇଞ୍ଜିନିୟର ଅଛନ୍ତି। ତାଙ୍କ ବିଭାଗ ମଧ୍ୟ ଏହି ଦୁର୍ଘଟଣା ପାଇଁ ତଦନ୍ତ ପରିସରଭୁକ୍ତ ହୋଇଛି। ତେବେ ଘଟଣାର ପ୍ରାଥମିକ ତଦନ୍ତ ପାଇଁ ଗଠନ ହୋଇଥିବା ପାଞ୍ଚ ଜଣିଆ ତଦନ୍ତ କମିଟି ନିଜ ରିପୋର୍ଟରେ କହିଛି ଯେ, ଦୁର୍ଘଟଣା ଦିନ କରମଣ୍ଡଳ ଏକ୍ସପ୍ରେସ ର ଡ୍ରାଇଭର ଙ୍କୁ ମେନ୍ ଲାଇନ୍ ବଦଳରେ ଲୁପ୍ ଲାଇନରେ ଯିବାକୁ ସିଗନାଲ ଦିଆଯାଇଥିଲା। ଆଉ ପୂର୍ବରୁ ଏହି ଲୁପ ଲାଇନ ରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ ସହ ଏହା ଧକ୍କା ହୋଇଥିଲା। ତେଣୁ ଏହି ଦୁର୍ଘଟଣା ପଛରେ ସିଗନାଲ ଫେଲୁଅର୍ ବା ତ୍ରୁଟି ରହିଥିଲା ବୋଲି ଏହି କମିଟି ରିପୋର୍ଟ ଦେଇଥିଲା।

ହେଲେ ଏହି ତଦନ୍ତ କମିଟିରେ ସାମିଲ ଥିବା ଏକେ ମହାନ୍ତ ଅନ୍ୟ ଚାରି ଜଣ ସଦସ୍ୟଙ୍କ ସହ ଅସହମତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଡାଟାଲଗରର ତଥ୍ୟ ଅନୁସାରେ ଦୁର୍ଘଟଣା ଦିନ କରମଣ୍ଡଳ ଏକ୍ସପ୍ରେସକୁ ମେନ୍ ଲାଇନ୍ ପାଇଁ ହିଁ ଗ୍ରୀନ ବା ସବୁଜ ସଙ୍କେତ ଦିଆଯାଇଥିଲା। ହେଲେ ଏହା ମେନ୍ ଲାଇନ୍ ବଦଳରେ ଲୁପ୍ ଲାଇନ୍ ରେ ଚାଲି ଯାଇଥିଲା ଯାହା ଫଳରେ ଏତେବଡ ଦୁର୍ଘଟଣା ଘଟିଗଲା ବୋଲି ଶ୍ରୀ ମହାନ୍ତ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଡାଟାଲଗର ଦ୍ଵାରା ରେଲୱେ ସିଗନାଲିଂ ସିଷ୍ଟମ କୁ ମନିଟର କରାଯାଏ। ଏହି ଡାଟାଲଗର ସମସ୍ତ ତଥ୍ୟ କୁ ସ୍କାନ କରି ନିଜ ଭିତରେ ଷ୍ଟୋର କରେ ଓ ପରବର୍ତ୍ତୀ ସମୟରେ ଏହି ତଥ୍ୟ ରିପୋର୍ଟ ଆକାରରେ ପ୍ରକାଶ ପାଏ।

ତେବେ ତଦନ୍ତ କମିଟିର ସଦସ୍ୟ ଥିବା ଏକେ ମହାନ୍ତ ଆହୁରି ମଧ୍ୟ କହିଛନ୍ତି ଯେ, ଲେବଲ କ୍ରସିଂ ଗେଟ୍ ପୂର୍ବରୁ ହିଁ କରମଣ୍ଡଳ ଏକ୍ସପ୍ରେସ ଲାଇନ ଚ୍ୟୁତ ହୋଇ ସାରିଥିଲା। ତେବେ ନିଜେ ଏହି ସିଗନାଲିଂ ବିଭାଗର ବରିଷ୍ଠ ଅଧିକାରୀ ହୋଇଥବା ବେଳେ ତଦନ୍ତ ରିପୋର୍ଟ ନେଇ ସେ ଦ୍ଵିମତ ହେବା ଏବେ ରିପୋର୍ଟ ଉପରେ ପ୍ରଶ୍ନ ଛିଡ଼ା କରିଛି।

ସେପଟେ ସିଗନାଲିଂ ତ୍ରୁଟି କୁ ମଧ୍ୟ ଖଣ୍ଡନ କରିଛନ୍ତି ଖୋର୍ଦ୍ଧା ଡିଆରଏମ ରିଙ୍କେସ ରାୟ। ସେ କହିଛନ୍ତି ଯେ, ଯଦି କେହି ଫିଜିକାଲି ଟାମ୍ପରିଂ ନ କରିବ, ତେବେ ସିଗନାଲରେ ଗଡ଼ବଡ୍ ହେବନି । ଟେକ୍ନିକାଲି ଏହା ସମ୍ଭବ ନୁହେଁ । ସେ ଆହୁରି କହିଛନ୍ତି, ମେନ୍ ଲାଇନରେ ଗ୍ରୀନ୍ ସିଗନାଲ ଥିଲା। ପ୍ରି କଣ୍ଡିସନ ଠିକ୍ ଥିଲେ ହିଁ ଗ୍ରୀନ ସିଗନାଲ ହୋଇଥାଏ। ଯଦି କିଛି ତ୍ରୁଟି ଥିବ,ତେବେ କେବେ ବି ଗ୍ରୀନ୍ ସିଗନାଲ ହେବ ନାହିଁ, ରେଡ୍ ଲାଇଟ ଜଳିବ । କରମଣ୍ଡଳ ଏକସପ୍ରେସ୍ ଯାଉଥିବା ମେନ୍ ଲାଇନରେ ଗ୍ରୀନ୍ ସିଗନାଲ ଥିଲା ବୋଲି ଡାଟାଲଗରରୁ ସ୍ପଷ୍ଟ ହୋଇଛି। ଏହି କାରଣରୁ ସିଗନାଲକୁ ଫିଜିକାଲି ଟାମ୍ପିରିଂ କରାଯାଇଥିବା ସନ୍ଦେହ କରିଛନ୍ତି ଖୋର୍ଦ୍ଧା ଡିଆରଏମ୍ ।

ସେପଟେ ରିପୋର୍ଟ ନେଇ ଅଫିସର୍ ମାନଙ୍କ ମଧ୍ୟରେ ଅସହମତି ନେଇ ରେଳ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ଏହି ରିପୋର୍ଟ ଏକ ପ୍ରାଥମିକ ତଦନ୍ତ ରିପୋର୍ଟ। ଭିନ୍ନ ଭିନ୍ନ ବିଭାଗର ଅଧିକାରୀଙ୍କର ଏନେଇ ଭିନ୍ନ ଭିନ୍ନ ମତ ଥାଇପାରେ। ତେବେ ଚୁଡାନ୍ତ ତଦନ୍ତ ରିପୋର୍ଟ କୁ ଅପେକ୍ଷା କରିବା ଉଚିତ୍ ବୋଲି ସେ କହିଛନ୍ତି।

Related Posts