ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ଶେଷ ହେବା ଆଶଙ୍କା ରହିଛି। ଏହାରି ମଧ୍ୟରେ ଝାଡ଼ଖଣ୍ଡରେ ରାଜନୈତିକ ସଙ୍କଟ ମଧ୍ୟ ଦେଖାଦେଇଛି। ତେବେ ଏସବୁ ଭିତରେ ଦୀର୍ଘ ଏକ ସପ୍ତାହର ଦିଲ୍ଲୀ ଗସ୍ତ ସାରି ଝାଡ଼ଖଣ୍ଡ ଫେରିଛନ୍ତି ରାଜ୍ୟପାଳ ରମେଶ ବୈସ। ସେପ୍ଟେମ୍ବର ୧ରେ ଦିଲ୍ଲୀ ଯିବାର ଗୋଟିଏ ଦିନ ପୂର୍ବରୁ ଶାସକ ଦଳର ବିଧାୟକମାନଙ୍କୁ ଆଶ୍ୱସନା ଦେଇ ରାଜ୍ୟପାଳ କହିଥିଲେ ବିଧାନସଭା ସଦସ୍ୟତା ରଦ୍ଦକୁ ନେଇ ସୋରେନଙ୍କ ପକ୍ଷରୁ ହୋଇଥିବା ନିବେଦନ ଉପରେ ସେ ଭାରତର ନିର୍ବାଚନ କମିଶନଙ୍କ ସୁପାରିଶ ଅନୁଯାୟୀ ସବୁକିଛି ସ୍ପଷ୍ଟ କରିବେ। ତେବେ ଏପର୍ଯ୍ୟନ୍ତ ରାଜ୍ୟପାଳ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ଶେଷ ହେବାନେଇ କୌଣସି ନିଷ୍ପତି ନେଇ ନାହାନ୍ତି।

ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଧିକାରୀଙ୍କ ସୂଚନା ଅନୁଯାୟୀ ରାଜ୍ୟପାଳ ରାଞ୍ଚି ଫେରି ଆସିଛନ୍ତି । ଏବେ ପର୍ଯ୍ୟନ୍ତ ସେ କୌଣସି ନିର୍ଦ୍ଦେଶ ଜାରି କରି ନାହାନ୍ତି । ନିର୍ବାଚନ କମିଶନ ୨୫ ଅଗଷ୍ଟରେ ତାଙ୍କର ନିଷ୍ପତ୍ତି ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଥିଲେ । ଆଉ ଏହାପରେ ରାଜ୍ୟରେ ରାଜନୌତିକ ସଙ୍କଟ ଦେଖା ଦେଇଥିଲା । ହେଲେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଔପଚାରିକ ଘୋଷଣା ହୋଇନାହିଁ । ଅନୁମାନ କରାଯାଉଛିକି କମିଶନ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ ଭାବେ ଅଯୋଗ୍ୟ ଘୋଷଣା କରିବାକୁ ସୁପାରିଶ କରିଥିବେ। ବର୍ତ୍ତମାନ ରାଜ୍ୟପାଳ ରାଞ୍ଚି ଫେରି ଆସିବା ପରେ ଏନେଇ ଖୁବଶୀଘ୍ର ସେ ନିଷ୍ପତି ନେବାନେଇ ଆଶା କରାଯାଉଛି।