ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଜେଡିରୁ ବିଦା ହେଲେ ରାଜେନ୍ଦ୍ର ଦାସ। ଧାମନଗର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିବା ଦଳ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଧାମନଗର ଉପନିର୍ବାଚନ ପାଇଁ ବିଜେଡି ଟିକେଟରୁ ବଞ୍ଚିତ ହେବା ପରେ ଅସନ୍ତୁଷ୍ଟ ଥିଲେ ରାଜେନ୍ଦ୍ର ଦାସ। ଦଳ ପକ୍ଷରୁ ତାଙ୍କୁ ମନାଇବାକୁ ପ୍ରୟାସ ସତ୍ତ୍ଵେ ସେ ସ୍ଵାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ଏବେ ରାଜେନ୍ଦ୍ରଙ୍କ ବିରୋଧରେ ବିଜେଡି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଅନ୍ୟପଟେ ଧାମନଗର ରାଜନୀତି ଏବେ ରୋଚକ ମୋଡ଼ରେ ରହିଛି। ଧାମନଗରରେ ଏଥର ଚତୁଃମୁଖୀ ଲଢେଇ ହେବ। ବିଜେଡିରୁ ଅବନ୍ତୀ ଦାସ ପ୍ରତିଦ୍ଵନ୍ଦୀତା କରୁଥିବା ବେଳେ ସ୍ଵର୍ଯ୍ୟବଂଶୀ ସୂରଜ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ବାବା ହରେକୃଷ୍ଣ ସେଠୀ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବେଳେ ରାଜେନ୍ଦ୍ର ଦାସ ସ୍ଵାଧୀନ ପ୍ରାର୍ଥୀ ହୋଇଛନ୍ତି। ତେବେ ରାଜେନ୍ଦ୍ର ସ୍ଵାଧୀନ ପ୍ରାର୍ଥୀ ହେବା ପରେ ବିଜେଡି ଉପରେ ଏହାର ପ୍ରଭାବ ପଡ଼ିପାରେ। ଭୋଟ୍ ବିଭାଜନ ହେବାର ଆଶଙ୍କା ରହିଛି। ତେଣୁ ବିଜେଡି ଏଭଳି ଆଭିମୁଖ୍ୟ ଗ୍ରହଣ କରାଯାଇଛି।