୧୨ ଜିଲ୍ଲାର CDMO ଗଲେ କୁଆଡେ?

ଭୁବନେଶ୍ୱର,୬/୧୦(ସତ୍ୟପାଠ ବ୍ୟୁରୋ):  ଉତ୍କର୍ଷ ଓଡିଶା ସ୍ଲୋଗାନର ବିକଳ ଚିତ୍ର | ଭୁଶୁଡିବାକୁ ବସିଲାଣି ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା । ୧୨ ଜିଲ୍ଲାରେ ନାହାନ୍ତି ସିଡିଏମ୍‌ଓ । ମୁରବି ଶୂନ୍ୟ ହୋଇଛି ରାଜ୍ୟର ପ୍ରାୟ ସବୁ ମେଡିକାଲ କଲେଜ । କାମଚଳା ଅଧୀକ୍ଷକରେ ଚାଲିଛି ଶିଶୁଭବନ

ଏବେ ରାଜ୍ୟରେ ଅଧିକାଂଶ ମେଡିକାଲ କଲେଜରେ ଉଭୟ ମେଡିକାଲ ଶିକ୍ଷା ଓ ପ୍ରଶାସନିକ ବ୍ୟବସ୍ଥା ଜଣେ ଜଣେ ବ୍ୟକ୍ତିଙ୍କ ହାତରେ ରହିଛି। ଜଣେ ବ୍ୟକ୍ତି ଉଭୟ ଅଧ୍ୟକ୍ଷ ଓ ଅଧୀକ୍ଷକ ଦାୟିତ୍ବ ସମ୍ଭାଳୁଛନ୍ତି। ଏହା ସହିତ ରାଜ୍ୟର ୧୨ଟି ଗୁରୁତ୍ବପୂର୍ଣ୍ଣ ଜିଲ୍ଲାରେ ସିଡିଏମ୍‌ଓ ପଦ ଖାଲିପଡିଛି। ଏହି ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ଯାଜପୁର ଓ କଳାହାଣ୍ଡି । ଏହି ଜିଲ୍ଲା ଗୁଡିକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବା ସିଡିଏମଓ ନାହାନ୍ତି ।

ସେହିପରି ରାଜ୍ୟରେ ଥିବା ୧୩ଟି ସରକାରୀ ମେଡିକାଲ କଲେଜରେ ମଧ୍ୟ ସମାନ ସ୍ଥିତି। ଏସ୍‌ସିବିରେ ଗତ ଜୁଲାଇ ମାସରେ ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ପ୍ରସେନ୍‌ଜିତ୍‌ ମହାନ୍ତି ଅବସର ଗ୍ରହଣ କରିବାର ମାସକ ପରେ ଅଧ୍ୟକ୍ଷଭାବେ ପ୍ର‌ଫେସର ଡାକ୍ତର ଲୁସି ଦାସଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି। ହେଲେ ଅଧୀକ୍ଷକ ଅବସର ନେବାପରେ ସେହି ସ୍ଥାନ ଖାଲିପଡିବାରୁ ଡାକ୍ତର  ଲୁସି ଦାସଙ୍କୁ ଉଭୟ ଅଧ୍ୟକ୍ଷ ଓ ଅଧୀକ୍ଷକ ଦାୟିତ୍ବ ଦିଆଯାଇଛି।

ଏପଟେ ଏମ୍‌କେସିଜି ମେଡିକାଲ କଲେଜ ବ୍ରହ୍ମପୁରର ଡିନ୍‌ ତଥା ଅଧ୍ୟକ୍ଷ ଥିବା ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ରଙ୍କୁ ଡିଏମ୍‌ଇଟିଭା‌ବେ ରାଜ୍ୟସରକାର ନିଯୁକ୍ତି ଦେଲେ। କିନ୍ତୁ ତାଙ୍କ ସ୍ଥାନରେ କାହାରିକୁ ନିଯୁକ୍ତି ନଦେଇ ଏମ୍‌କେସିଜିର ଅଧୀକ୍ଷକ ଦାୟିତ୍ବରେ ଥିବା ପ୍ରଫେସର ଡାକ୍ତର ସୁଚିତ୍ରା ଦାସଙ୍କୁ ଅତିରିକ୍ତଭାବେ ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି। ୫ ମାସ ହେଲା କାମଚଳା ବ୍ୟବସ୍ଥାରେ ଚାଲିଛି ଏମ୍‌କେସିଜି ମେଡିକାଲ କଲେଜ । 

ସେହିପରି କୋରାପୁଟ ମେଡିକାଲ କଲେଜର ଡିନ୍‌ ତଥା ପ୍ରିନ୍ସିପାଲ୍‌ ଅବସରଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଶାନ୍ତ ସାହୁଙ୍କୁ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେହିପରି କଳାହାଣ୍ଡି ମେଡିକାଲ କଲେଜରେ ମଧ୍ୟ ଅଧୀକ୍ଷକ ପଦ ଖାଲିପଡ଼ିଛି। ସେହିପରି ବଲାଙ୍ଗୀର ମେଡିକାଲ କଲେଜର ଅଧୀକ୍ଷକ ଥିବା ପ୍ରଫେସର ଡାକ୍ତର ମାନସୀ ପଣ୍ଡାଙ୍କୁ  ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର ପାଠ୍ୟନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। କିନ୍ତୁ ତାଙ୍କ ସ୍ଥାନ‌ରେ କାହାରିକୁ ନିଯୁକ୍ତି ଦିଆଯାଇନି। କଟକ ଶିଶୁଭବନର ଅଧୀକ୍ଷକ ଅବସର ନେବା ପରେ ତାଙ୍କ ସ୍ଥାନରେ କାମଚଳା ଅଧୀକ୍ଷକ ଭାବେ ପ୍ରଫେସର ଡାକ୍ତର ପ୍ରଭାକର ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି।

ତେବେ ରାଜ୍ୟର ସବୁ ପ୍ରମୁଖ ମେଡିକାଲ କଲେଜ ଗୁଡିକ ଏବେ ଏକପ୍ରକାର ମୁରବି ଶୂନ୍ୟ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ତୁରନ୍ତ ଏହା ଉପରେ ଧ୍ୟାନ ଦେଵାକୁ ଦାବି ଉଠିଛି ।

Related Posts