ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗତକାଲି ଦିଲ୍ଲୀ କନଷ୍ଟିଚ୍ୟୁସନ କ୍ଲବ ପକ୍ଷରୁ ଓଡିଶା ସାମ୍ବାଦିକତା ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଧର୍ମେନ୍ଦ୍ରଙ୍କ ଟାର୍ଗେଟରେ ଥିଲା ପୁରସ୍କାର ଫିକ୍ସିଂ ଓ ଶ୍ରେୟ ରାଜନୀତି । ତେବେ ନିଜ ଅଭିଭାଷଣରେ କାହାର ନାଁ ନନେଇ ଏକ ତେରଛା ବାଣ ମାରିଛନ୍ତି ଧର୍ମେନ୍ଦ୍ର। ପୁରସ୍କାର ପାଇବାକୁ କେମିତି କାରସାଦି କରାଯାଏ, କେମିତି ପୁରସ୍କାର ଫିକ୍ସିଂ ହୁଏ ତାର ଉଦହାରଣ ଦେଇ ବୁଝାଇଛନ୍ତି ଧର୍ମେନ୍ଦ୍ର । ଅବଶ୍ୟ ଏଥିପାଇଁ ସେ ଗୋଲଡେନ ପିକକ୍ ଆୱାର୍ଡ କଥା ଉଠାଇଛନ୍ତି । ହେଲେ ତାଙ୍କ ଅଭିଭାଷଣକୁ ଲକ୍ଷ୍ୟ କଲେ ତାଙ୍କ ଇଶାରା ଯେ ଆଉ କୁଆଡେ ତାହା ସ୍ପଷ୍ଟ ବାରି ହୋଇ ପଡ଼ୁଛି। ଯେହେତୁ ଅବସର ଓଡ଼ିଶା ସାମ୍ବାଦିକତା ପୁରସ୍କାର ଉତ୍ସବ ଥିଲା ତେଣୁ କୁହାଯାଉଛି ଯେ ଧର୍ମେନ୍ଦ୍ରଙ୍କ ଇଶାରା ଓଡ଼ିଶା ଆଡ଼କୁ ହୋଇଥାଇ ପାରେ। କାରଣ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ୟାପିଟାଲ୍‌ ଫାଉଣ୍ଡେସନ୍‌ ସୋସାଇଟି ପକ୍ଷରୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପୁରସ୍କାର ପ୍ରଦାନ କରାଯିବ। ଧର୍ମେନ୍ଦ୍ର ନିଜ ଭାଷଣରେ କାହାର ନାମ ନ ନେଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଗ୍ରହଣ ଠିକ୍ ପୂର୍ବରୁ ପୁରସ୍କାର ଫିକ୍ସିଂ ପ୍ରସଙ୍ଗ ଉଠାଇବା ବିଜେଡିର ହଜମ ହଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା।

ସେପଟେ ଶ୍ରେୟ ପାଇଁ ହେଉଥିବା ରାଜନୀତିକୁ ମଧ୍ୟ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିରୋ ହ୍ୟୁମାନ ଲସ କଥା ରାଜ୍ୟ ସରକାର କହୁଥିବା ବେଳେ, ଏଥିପାଇଁ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନକୁ ଭୁଲିଯାଉଛନ୍ତି ବୋଲି ସେ କହିଛନ୍ତି। ୧୯୯୯ ମହାବାତ୍ୟା ପରେ ପ୍ରତି ପଂଚାୟତରେ ବାତ୍ୟା ଆଶ୍ରୟସ୍ଥଳ ଖୋଲାଯାଇଛି । ତେଣୁ ସାମ୍ବାଦିକମାନେ ଖବର କଲା ବେଳେ ସେହି କଥାକୁ ଉଲ୍ଲେଖ କରିବା ପାଇଁ ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର । ଆଉ ଏକ ପ୍ରସଙ୍ଗ ଉଠାଇ ଓଡିଆଙ୍କ ଗୋଡ଼ଟଣା ବା କଙ୍କଡା ପ୍ରକୃତି କଥା କହିଛନ୍ତି, କେନ୍ଦ୍ରମନ୍ତ୍ରୀ । ଅବଶ୍ୟ ଏଥିରେ କାହାକୁ ଟାର୍ଗେଟ କରୁଛନ୍ତି, ତାହା ସ୍ପଷ୍ଟ ହୋଇ ନାହିଁ କିନ୍ତୁ ପୁରସ୍କାର ବିତରଣ ଉତ୍ସବରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଷଣ ବଡ ରାଜନୈତିକ ବିତର୍କ ସୃଷ୍ଟି କରିଛି ।