ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କିଏ ହେବେ ଭାରତର ଆଗାମୀ ରାଷ୍ଟ୍ରପତି ? ଏ ପ୍ରଶ୍ନ ଉପରୁ ଆଜି ପରଦା ଉଠିବାକୁ ଯାଉଛି।ବିଜେପି ନେତୃତ୍ୱାଧୀନ ଏନ୍ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କ ଭାଗ୍ୟ ବାଲଟ ବାକ୍ସରେ ରହିଛି। ଗତ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ପଡି ସାରିଥିବା ବେଳେ ଆଜି ବାଲଟ ବକ୍ସ ଖୋଲିବ ଓ ଭୋଟ ଗଣତି ହେବ।
ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ସଂସଦ ଭବନ ପରିସରରେ ହେବ। ଏନେଇ ସଂସଦ ଭବନ ପରିସରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ପୂର୍ବାହ୍ନ ୧୧ଟାରେ ଭୋଟ ଗଣତି ଆରମ୍ଭ ହେବ। ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟଚିତ୍ର ଆସିବା ସହ ଦେଶର ପ୍ରଥମ ନାଗରିକଙ୍କ ନାମ ଜଣାପଡ଼ିବ।
ସୂଚନା ଅନୁସାରେ, ରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ସୋମବାର ନିର୍ବାଚନ ହୋଇଥିଲା। ପାର୍ଲାମେଣ୍ଟ ହାଉସ୍ ଏବଂ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ଓ ପଣ୍ଡିଚେରୀ ବିଧାନସଭାରେ ଭୋଟ ଗ୍ରହଣ କରାଯାଇଥିଲା। ଇଲେକ୍ଟୋରାଲ କଲେଜର ମୋଟ ଭୋଟ ସଂଖ୍ୟା ୧୦,୮୬,୪୩୧ ଥିବାବେଳେ ୯୯.୧୮% ମତଦାନ ହୋଇଛି। ତହିଁରୁ ଛତିଶଗଡ଼, ଗୋଆ, ଗୁଜରାଟ, ହିମାଚଳ ପ୍ରଦେଶ, କେରଳ, କର୍ନାଟକ, ମଧ୍ୟପ୍ରଦେଶ, ମଣିପୁର, ସିକିମ, ତାମିଲନାଡୁ ଓ କେନ୍ଦ୍ରଶାସିତ ଅଞ୍ଚଳ ପଣ୍ଡିଚେରୀରେ ୧୦୦% ଭୋଟ ଗ୍ରହଣ କରାଯାଇଥିଲା। ସମସ୍ତ ୩୧ ପୋଲିଂ ଷ୍ଟେସନରୁ ବାଲଟ ବକ୍ସଗୁଡ଼ିକ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପାର୍ଲାମେଣ୍ଟ ହାଉସ୍ରେ ପହଞ୍ଚିସାରିଛି। ତେବେ ଭୋଟ ଗଣତି ହେବା ପରେ ଆଜି ଦେଶର ଆଗାମୀ ରାଷ୍ଟ୍ରପତି କିଏ ହେବେ ତାହା ଜଣା ପଡ଼ିବ ଓ ସେ ବିଧିବଦ୍ଧ ଭାବେ ଜୁଲାଇ ୨୫ ତାରିଖ ରେ ଶପଥ ନେଇ ନିଜର କାର୍ଯ୍ୟକାଳ ଆରମ୍ଭ କରିବେ।
