ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହେବେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ରାହୁଲ ଗାନ୍ଧୀଙ୍କ ପରେ କାଲି ସୋନିଆ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହେବେ । ଇଡି ତାଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ ପଚରା ଉଚୁରା କରିବାକୁ ଡାକିଛି।

ଆଉ ଏହି ମାମଲାକୁ କଂଗ୍ରେସ ବଡ ପ୍ରସଙ୍ଗ କରିବାକୁ ଚାହୁଁଛି। ଏଥିପାଇଁ ଦଳ ଗୁରୁବାର ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତୁତି କରୁଛି। ନ୍ୟାସନାଲ ହେରାଲ୍ଡ ମାମଲାରେ କଥିତ ବିତ୍ତୀୟ ଅନିୟମିତତା ସଂପର୍କିତ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ସମେତ କମ୍ପାନୀର ଅନ୍ୟ କଂଗ୍ରେସ ନେତାଙ୍କ ବିରୋଧରେ ଇଡି ମନି ଲଣ୍ଡ୍ରିଂ ଆକ୍ଟ ଆଧାରରେ ମାମଲା ରୁଜୁ କରିଛି। ଏହି ମାମଲାରେ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଇଡି ଅନେକ ଦିନ ଧରି ପଚରା ଉଚୁରା କରି ସାରିଛି। ଗୁରୁବାର ଏହି କେସରେ ସୋନିଆ ଗାନ୍ଧୀଙ୍କୁ ପଚରାଉଚୁରା କରିବ ଇଡି।

ଏହି ସମୟରେ କଂଗ୍ରେସ ସମଗ୍ର ଦେଶରେ ଇଡି କାର୍ଯ୍ୟାଳୟ ଘେରଉ କରିବା ସହିତ ଅନେକ ସ୍ଥାନରେ ଚକାଜାମ ଏବଂ ଶୋଭାଯାତ୍ରା ବାହାର କରିବ। ପାର୍ଟିର ବଡ ନେତା କଂଗ୍ରେସ କାର୍ଯ୍ୟାଳୟରେ ଏକତ୍ର ହେବେ ଏବଂ ଇଡି ଦପ୍ତର ପର୍ଯ୍ୟନ୍ତ ରାଲି କରିବେ। ଯୁବ କଂଗ୍ରେସ ଏବଂ ଏନଏସୟୁଆଇ ସହିତ ମହିଳା କଂଗ୍ରେସର ନେତା ମଧ୍ୟ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରିବେ। ସୋନିଆଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବେ। ବୁଧବାର ବିଳମ୍ବିତ ରାତ୍ରି ସୁଦ୍ଧା କଂଗ୍ରେସ ନିଜ ଯୋଜନାକୁ ଚୂଡାନ୍ତ ରୂପ ଦେବ।