ବଡଦାଣ୍ଡରେ ବଡ ଲଢେଇ : ଶ୍ରୀକ୍ଷେତ୍ର ଦେଖିବ ସ୍ବାଭିମାନର ବିଜୟ !

ପୁରୀରେ ବାଜି ମାରିବ କିଏ ?

ଭାରତୀୟ ଜାତୀୟ କଂଗ୍ରେସରୁ ପୁରୀ ଲୋକସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି ସତ୍ୟପ୍ରକାଶ ନାୟକ । ୧୯୯୮ରୁ ଏପର୍ଯ୍ୟନ୍ତ ବିଜୁ ଜନତା ଦଳର ଗଡ ଭାବରେ ପରିଚିତ ପୁରୀରେ ଏଥର ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ । ବିଜେଡିର ପିନାକୀଙ୍କ ସହ ପ୍ରତିଦ୍ୱନ୍ଦୀତା କରିବେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ କଂଗ୍ରେସର ମିଡିଆ ସେଲ୍‌ ମୁଖ୍ୟ ସତ୍ୟପ୍ରକାଶ ନାୟକ । ତେବେ ଦୁଇ ଦୁଇ ଥର ସାଂସଦ ଭାବେ ବିଜୟୀ ହୋଇଥିବା ପିନାକୀଙ୍କ ସାମ୍ନାରେ ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦୀ ବିଜୟର ଦ୍ବାର ଦେଶରୁ ରୁଦ୍ଧ କରିଦେବେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଲାଣି ।

ଜଣେ ପୁରୀର ଅନୁପସ୍ଥିତ ସାଂସଦ ଯିଏ ପୁରୀରେ କମ୍‌ ଦିଲ୍ଲୀରେ ଅଧିକ ସମୟ ବିତାନ୍ତି । ପେଶାରେ ଓକିଲ ତେଣୁ ନିଜ ଲୋକସଭା ନିର୍ବାଚନ ମଣ୍ଡଳୀରେ ଲୋକେ କମ୍‌ ସମୟ ଦେଖିଛନ୍ତି ସାଂସଦ ପିନାକୀଙ୍କୁ । କେତେବେଳେ କେମିତି ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ସଭାରେ ହିଁ ଦେଖିବାକୁ ମିଳେ ତାଙ୍କୁ । ସେପଟେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଜାତୀୟ ଦଳର ରାଷ୍ଟ୍ରୀୟ ମୁଖପାତ୍ର ହୋଇଥିବାରୁ ତାଙ୍କୁ ଜାତୀୟ ଟେଲିଭିଜନ୍‌ ଚ୍ୟାନେଲ୍‌ର ଡିବେଟ୍‌ରେ ଦେଖିବାକୁ ମିଳେ । ତେବେ ପୁରୀ ପ୍ରସଙ୍ଗ କିମ୍ବା ଓଡିଶା ସହ ଜଡିତ କୌଣସି ପ୍ରସଙ୍ଗରେ ସମ୍ବିତ ଦିନେ କାଳେ ଜାତୀୟ ଗଣମାଧ୍ୟମରେ ଇସ୍ୟୁ କରିଥିବା କେହି ଦେଖି ନାହାନ୍ତି । ଏପରିକି ବ୍ରହ୍ମ ବିଭ୍ରାଟ, ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଓ ପୁରୀରେ ଇସ୍କନ୍‌ ଜଗନ୍ନାଥ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ବି ସମ୍ବିତଙ୍କ ପାଟି ଖୋଲି ନଥିଲା । କେବଳ ସେତିକି ନୁହେଁ ବିଜେପି ଓ ବିଜେଡି ମେଣ୍ଟ ସରକାର ବେଳେ ରାଜସ୍ବ ମନ୍ତ୍ରୀ ଥିବା ମନମୋହନ ସାମଲଙ୍କ ସମୟରେ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହି ଜମି ଶାଗମାଛ ଦରରେ ବେଦାନ୍ତ ହାତକୁ ଟେକି ଦିଆଯାଇଥିବା ଅଭିଯୋଗ ରହିଛି ।

ତେବେ ଏମାନଙ୍କଠାରୁ ଭିନ୍ନ ମତ ରହିଛି କଂଗ୍ରେସ ପ୍ରାର୍ଥୀ ସତ୍ୟଙ୍କ ପାଇଁ । ଓଡିଶାର ଅନେକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାତି ୯ରେ ସେତେବେଳେ ଜି କଳିଙ୍ଗରେ ସତ୍ୟପ୍ରକାଶ କରୁଥିଲେ ସତ୍ୟର ସାମ୍ନା ଡିବେଟ୍‌ ସୋ । ଓଡିଶାର ଘରେ ଘରେ ଜଣେ ନିର୍ଭୀକ ଓ ନିର୍ବିବାଦୀୟ ସାମ୍ବାଦିକ ଭାବେ ଜଣାଶୁଣା ସତ୍ୟପ୍ରକାଶ । ଯାହାକୁ ନେଇ ଶ୍ରୀକ୍ଷେତ୍ରରେ ଚଳିତଥର ଦମ୍‌ଦାର ନିର୍ବାଚନ ଲଢେଇ ଦେଖିବାକୁ ମିଳିବ । ସବୁଠାରୁ ରୋଚକ କଥା ହେଉଛି ବିଗତ ଦିନରେ ପୁରୀ ସହରର ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗରେ ଶାଣିତ ଆଭିମୁଖ୍ୟ ଦେଖାଇ ସରକାରଙ୍କୁ ହରଡଘଣାରେ ପକାଇଛନ୍ତି ସତ୍ୟ । ଏପରିକି ଜଗନ୍ନାଥଙ୍କ ପ୍ରତିମା ଧରି ଶୋଭାଯାତ୍ରା କରିଥିବା ସମ୍ବିତଙ୍କୁ କାନ ଧରି ଜଗନ୍ନାଥଙ୍କ ଆଗରେ କ୍ଷମା ମାଗିବାକୁ କହି ଚର୍ଚ୍ଚାକୁ ଆସିଥିଲେ ସତ୍ୟ ।

ସବୁଠାରୁ ବଡ କଥା ହେଉଛି ପିନାକୀଙ୍କ ପାଖରେ ପୁରୀ ଲୋକସଭା ଅନ୍ତର୍ଗତ ୬ଟି ନିର୍ବାଚନ ମଣ୍ଡଳୀର ବିଜେଡି ଭୋଟ୍‌ ବ୍ୟାଙ୍କ ଥିବା ସେ ଦାବି କରିଛନ୍ତି….ସେହିପରି ସମ୍ବିତ ମଧ୍ୟ ଜାତୀୟସ୍ତରର ଚର୍ଚ୍ଚିତ ଚେହେରା ହୋଇଥିବାରୁ ତାଙ୍କୁ ଭୋଟ୍‌ ମିଳିବ ବୋଲି ସେ ବାରମ୍ବାର କହିଛନ୍ତି । ସେହିଭଳି ପୁରୀ ମାଟିରେ ସତ୍ୟ ଓ ସ୍ବାଭିମାନର ନିର୍ବାଚନୀ ଲଢେଇ ହେବ ବୋଲି କହିଛନ୍ତି ସତ୍ୟପ୍ରକାଶ । ପରାଜୟକୁ ସାମ୍ନାରେ ଦେଖି ମଧ୍ୟ ହଡବଡ ନହୋଇ ଧୈର୍ଯ୍ୟର ସହ ସାମ୍ନା କରିବାକୁ ଯୁଦ୍ଧ କୁହାଯାଏ କହି ତୀର ମାରିଛନ୍ତି ସତ୍ୟ । ତେବେ ମେ ୨୩ର ଫଳାଫଳ ହିଁ ସ୍ପଷ୍ଟ କରିବ ଦଳ ବଡ ନା ସେନାପତି ।

Related Posts