କାହିଁକି ଦିଲ୍ଲୀ କୁ କମ୍, କିନ୍ତୁ ଏମ୍ ପି , ମହାରାଷ୍ଟ୍ର କୁ ଆବଶ୍ୟକତା ଠାରୁ ଅଧିକ ଅକ୍ସିଜେନ୍ ମିଳିଲା – କେନ୍ଦ୍ରକୁ ହାଇକୋର୍ଟଙ୍କ ପ୍ରଶ୍ନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦିଲ୍ଲୀ ହାଇକୋର୍ଟ ଗୁରୁବାର କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, ” ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରକୁ ଆବଶ୍ୟକତା ଠାରୁ ଅଧିକ ଅମ୍ଳଜାନ ଯୋଗାଇ ଦିଆଯାଉଥିବାବେଳେ ଦିଲ୍ଲୀକୁ କାହିଁକି କମ୍ ଅକ୍ସିଜେନ ଦିଆଯାଉଛି । ” ଜଷ୍ଟିସ୍ ଭିପିନ୍ ସାଙ୍ଘି ଏବଂ ରେଖା ପଲ୍ଲୀଙ୍କ ଏକ ବେଞ୍ଚ କହିଛନ୍ତି , ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଯଥାର୍ଥ ଉତ୍ତର ଦେବାକୁ ପଡିବ ନଚେତ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଥିରେ ସଂଶୋଧନ କରିବାକୁ ପଡ଼ିବ। ଅପରପକ୍ଷରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ, କେନ୍ଦ୍ର ସରକାର କୋର୍ଟଙ୍କ ପ୍ରଶ୍ନର ଉତ୍ତର ଦେବେ ଏବଂ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରକୁ ଅଧିକ ଅମ୍ଳଜାନ ଦେବାର କାରଣ କୋର୍ଟଙ୍କୁ ଅବଗତ କରାଇବେ। “ଏମିତି କିଛି ରାଜ୍ୟ ଅଛନ୍ତି ସେମାନେ ଯେତିକି ପରିମାଣର ଅକ୍ସିଜେନ ମାଗିଥିଲେ ତା’ଠାରୁ କମ୍ ପାଇଛନ୍ତି । ଆମେ ଏ ସଂପର୍କରେ ଅବଗତ ଅଛୁ” ବୋଲି ମେହେଟ୍ଟା କହିଛନ୍ତି । ବରିଷ୍ଠ ଆଡଭୋକେଟ୍ ରାହୁଲ ମେହେରା ବିଭିନ୍ନ ରାଜ୍ୟ ଗୁଡ଼ିକର ଅମ୍ଳଜାନ ଚାହିଦା ଏବଂ ଆବଣ୍ଟନ ତାଲିକା ପ୍ରଦାନ କରିଥିଲେ । ଏବଂ କହିଥିଲେ ଯେ କେବଳ ଦିଲ୍ଲୀ ନୁହେଁ ଅନ୍ୟ ରାଜ୍ୟ ଗୁଡ଼ିକ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅମ୍ଳଜାନ ସଙ୍କଟ ଏବଂ କରୋନା ମହାମାରୀ ସହ ଜଡିତ ଅନ୍ୟାନ୍ୟ ପ୍ରସଙ୍ଗରେ କୋର୍ଟ ଅନେକ ଆବେଦନର ଶୁଣାଣି କରିଥିଲେ ଯାହାକି କେବଳ ଦିଲ୍ଲୀ ସହ ଜଡିତ ।

Related Posts