ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୋତେ ନ ପଚାରି କାହିଁକି ବଢ଼ାଇଲ ବିଦ୍ୟୁତ୍ ବିଲ୍; ଏପରି ପ୍ରଶ୍ନ ପଚାରି ୟୁପିପିସିଏଲର ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଉତ୍ତରପ୍ରଦେଶ ଶକ୍ତି ମନ୍ତ୍ରୀ ଏ.କେ. ଶର୍ମା । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା । ତେବେ ଶକ୍ତି ମନ୍ତ୍ରୀ ୟୁପିପିସିଏଲ ଅଧ୍ୟକ୍ଷଙ୍କୁ ଏକ ଚିଠି ଲେଖି ପ୍ରଶ୍ନ ଉଠାଇଛନ୍ତି ଯେ, ଜୁନ୍ ୨୦୨୬ ପାଇଁ ବିଦ୍ୟୁତ ବିଲ୍ ଉପରେ ୧୦% ଇନ୍ଧନ ଏବଂ ବିଦ୍ୟୁତ କ୍ରୟ ସମାୟୋଜନ ସରଚାର୍ଜ (ଏଫପିପିଏଏସ୍) ଲାଗୁ କରିବାର ନିଷ୍ପତ୍ତି ତାଙ୍କୁ ନ ଜଣାଇ ଏବଂ ତାଙ୍କ ଅନୁମତି ବିନା କିପରି ନିଆଗଲା।

ମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଏହି ନିଷ୍ପତ୍ତି ସରକାରଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛି ଏବଂ ବିଭାଗର ବଦନାମ କରିଛି।ଶକ୍ତି ମନ୍ତ୍ରୀ ଏ.କେ. ଶର୍ମା, ୟୁପିପିସିଏଲ ଅଧ୍ୟକ୍ଷଙ୍କୁ ଲେଖିଥିବା ଏକ ଚିଠିରେ କହିଛନ୍ତି, ମୁଁ ଟିଭି ନ୍ୟୁଜ୍ ଚ୍ୟାନେଲଗୁଡ଼ିକରୁ ମୋ ବିଭାଗର ନିଷ୍ପତ୍ତି ବିଷୟରେ ଜାଣୁଛି। ସେ ପଚାରିଛନ୍ତି,ଏତେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମନ୍ତ୍ରୀଙ୍କୁ କାହିଁକି ବିଶ୍ୱାସକୁ ନିଆଯାଇନଥିଲା? ଆପଣ ମୁଖ୍ୟାଳୟକୁ କୌଣସି ସୂଚନା ନ ଦେଇ କେଉଁଆଡେ ଉଭାନ ହୋଇଯାଉଛନ୍ତି?ଏହା ବ୍ୟତୀତ, ମନ୍ତ୍ରୀ ଅଧ୍ୟକ୍ଷଙ୍କ କାର୍ଯ୍ୟଶୈଳୀ ଉପରେ ମଧ୍ୟ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି।

ସେ କହିଛନ୍ତି ଯେ, ବିଦ୍ୟୁତ୍ ସଙ୍କଟ ସମୟରେ ଅଧ୍ୟକ୍ଷ ମୁଖ୍ୟାଳୟରୁ କାହିଁକି ଦୂରେଇ ରହୁଛନ୍ତି ଏବଂ ବିଭାଗୀୟ ବିଷୟଗୁଡ଼ିକୁ ନିରନ୍ତର ଅବହେଳା କରାଯାଉଛି। ମନ୍ତ୍ରୀ ଏହାକୁ ଦାୟିତ୍ୱହୀନ ଏବଂ ଜନସ୍ୱାର୍ଥ ବିରୋଧୀ ବୋଲି ବର୍ଣ୍ଣନା କରିଛନ୍ତି। ଏଭଳି ମନୋଭାବ ଠିକ୍ ନୁହେଁ। ଚିଠିରେ ବିଦ୍ୟୁତ୍ ବିଭାଗରୁ ଅଭିଜ୍ଞ କର୍ମଚାରୀଙ୍କୁ ବହିଷ୍କାର, ନୂତନ ଏବଂ କମ୍ ଅଭିଜ୍ଞ କର୍ମଚାରୀଙ୍କୁ ନିୟୋଜିତ କରିବା ଏବଂ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାରେ ତ୍ରୁଟି ଉପରେ ମଧ୍ୟ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି।