ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲାର ଶୁଣାଣି କରୁଥିବେ ବିଚାରପତିଙ୍କୁ କାହିଁକି ବଦଳାଇବାକୁ ଚାହୁଁଛନ୍ତି ମମତା ?

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗର ନିନ୍ଦିଗ୍ରାମ ଆସନରେ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ଚାଲେଞ୍ଜ୍‌ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ମାମଲାର ଶୁଣାଣି କରୁଥିବା ବିଚାରପତିଙ୍କୁ ବଦଳାଇବା ପାଇଁ ସେ ହାଇକୋର୍ଟଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ମାମଲାର ଶୁଣାଣି ଦାୟିତ୍ବ ଏବେ ବିଚାରପତି କୌଶିକ ଚନ୍ଦାଙ୍କୁ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତରଫରୁ ତାଙ୍କ ଓକିଲ ‌ଏ ସଂକ୍ରାନ୍ତରେ ଲେଖିଥିବା ଚିଠିକୁ ଜୁନ୍ ୧୬ ତାରିଖ ଦିନ କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଦିଆଯାଇଛି। ଏଥିପାଇଁ ସେ ଦୁଇଟି କାରଣ ଦର୍ଶାଇଛନ୍ତି । ପ୍ରଥମ କାରଣ ହେଉଛି ଯେ ଜଷ୍ଟିସ ଚନ୍ଦା ପୂର୍ବରୁ ବିଜେପି ସହ ଜଡିତ ଥିବା ରିପୋର୍ଟ ମିଳିଛି। ତେଣୁ ମାମଲାର ଶୁଣାଣି ବେଳେ ପକ୍ଷପାତିତାର ଆଶଙ୍କା ରହିଛି। ଦ୍ୱିତୀୟ କାରଣ ହେଉଛି, କୋଲକାତା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବରେ ଜଷ୍ଟିସ୍ ଚନ୍ଦାଙ୍କ ନିଯୁକ୍ତକୁ ନେଇ ଆପତ୍ତି କରାଯାଇଥିଲା ।

ଏପରି ସ୍ଥିତିରେ ସେ ମାମଲାର ଶୁଣାଣି କରିବା ଠିକ ହେବନାହିଁ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ନ୍ୟାୟ କେବଳ ମିଳିଲେ ହେବନି, ଏହା ସମସ୍ତଙ୍କୁ ଦୃଶ୍ୟମାନ ହେବା ଉଚିତ। ଜନସାଧାରଣଙ୍କ ଆତ୍ମବିଶ୍ୱାସ ବଜାୟ ରଖିବାର ଆବଶ୍ୟକତା ନ୍ୟାୟପାଳିକାର ଦାୟିତ୍ୱ। ତେଣୁ ଏହା ଉପରେ ହାଇକୋର୍ଟ ଧ୍ୟାନ ଦେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଓକିଲ ଚିଠିରେ ଲେଖିଛନ୍ତି।

ଏହା ପୂର୍ବରୁ ଟିଏମସି ସାଂସଦ ଡେରେକ ଓ’ବ୍ରାଇନ୍ ମଧ୍ୟ ଦୁଇଟି ଫଟୋ ଟ୍ୱିଟ୍ କରିଛନ୍ତି। ଏଥିରେ ଜଷ୍ଟିସ୍ ଚନ୍ଦା ବିଜେପିର ଲିଗାଲ୍ ସେଲ୍ ର ବୈଠକରେ ଯୋଗ ଦେବାର ଦେଖିବାକୁ ମିଳିଛି । ଏହି ବୈଠକରେ ବେଙ୍ଗଲ ବିଜେପି ସଭାପତି ଦିଲୀପ ଘୋଷ ମଧ୍ୟ ନଜର ଆସୁଛନ୍ତି। ସେହିପରି ଆଉ ଏକ ସୂଚୀ ଜାରି କରିଛନ୍ତି। ଯେଉଁଥିରେ ୨୦୧୯ ମସିହାରେ ଜଷ୍ଟିସ୍ ଚନ୍ଦା ବିଚାରପତି ହେବା ପୂର୍ବରୁ ବିଜେପିର କେସ୍ ଲଢିଥିବା ତାଲିକା ରହିଛି।

ଶୁକ୍ରବାର ଜଷ୍ଟିସ କୌଶିକ ମମତାଙ୍କ ଆବେଦନର ଶୁଣାଣି କରି ଏହାକୁ ୨୪ ତାରିଖ ଯାଏ ଘୁଞ୍ଚାଇ ଦେଇଛନ୍ତି। ସୂତ୍ରରୁ ସୂଚନା ମୁତାବକ ଜନ ପ୍ରତିନିଧି ଅଧିନିୟମ ସମ୍ବନ୍ଧୀୟ ମାମଲାରେ ଆବେଦନକାରୀ କହିଛନ୍ତି ଯେ ଏହି ମାମଲାରେ ମମତା ବାନାର୍ଜୀ କୋର୍ଟରେ ହାଜର ହେବା ଆବଶ୍ୟକ। ଅନ୍ୟଥା, କୋର୍ଟ ଏହି ଆବେଦନକୁ ଖାରଜ କରିପାରନ୍ତି ।

ମମତା ବାନାର୍ଜୀ ଗତକାଲି କୋର୍ଟରେ ହାଜର ହୋଇନଥିଲେ ଏବଂ ଆସନ୍ତା ସପ୍ତାହରେ ହେବାକୁ ଥିବା ଶୁଣାଣିରେ ସେ ଉପସ୍ଥିତ ରହିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ ଯେ ମମତା ବାନାର୍ଜୀଙ୍କ ବ୍ୟତୀତ ନିର୍ବାଚନରେ ​​ହାରିଥିବା ଅନ୍ୟ ଚାରିଜଣ ଟିଏମସି ନେତା ମଧ୍ୟ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏମାନେ ହେଉଛନ୍ତି ଶାନ୍ତିରାମ ମହାଟୋ (ବଳରାମପୁର), ଆଲୋରାନି ସାର୍କ (ମୋୟାନା), ମାନସ ମଜୁମଦାର (ଗୋଗାଟ) ଏବଂ ଅଶୋକ ଦିଣ୍ଡା (ବୋନ୍ ଗାଓଁ ଦକ୍ଷିଣ) ।

Related Posts