ବଦଳିବେ କି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ?, ବିଜେପି ସାଂସଦଙ୍କ ଟ୍ୱିଟ ପରେ ରାଜନୀତି ସରଗରମ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବା ରାଜ୍ୟ ତାଲିକାରେ ପ୍ରଥମେ ମହାରାଷ୍ଟ୍ର ଓ ବିହାର ପରେ ଏବେ ଝାଡଖଣ୍ଡର ନାମ ଯୋଡ଼ି ହୋଇପାରେ । ଏନେଇ ବିଜେପି ସାଂସଦଙ୍କ ଟ୍ୱିଟ ପରେ ରାଜନୀତି ସରଗରମ ହେବାରେ ଲାଗିଛି । ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଏକ ଟ୍ୱିଟ ପରେ ଝାଡଖଣ୍ଡରେ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।ଦୁବେ ଏକ ଟ୍ୱିଟରେ ଲେଖିଛନ୍ତି ଯେ, ଭାବିଜୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ତେଣୁ ପ୍ରସ୍ତୁତି ଆରମ୍ଭ କର । ସେ କାହାରି ନାମ ନେଇ ନଥିଲେ ମଧ୍ୟ ତାଙ୍କ ଇଶାରା ଝାଡଖଣ୍ଡରେ ହେମନ୍ତ ସୋରେନଙ୍କ ସ୍ଥାନରେ ତାଙ୍କ ପତ୍ନୀ କଳ୍ପନା ସୋରେନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ବୋଲି ସୂଚାଉଛି । ଅନ୍ୟଏକ ଟ୍ୱିଟରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦଳର ନେତା ଓ କର୍ମୀମାନଙ୍କୁ ଉପ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଛନ୍ତି ।

ଗୋଟିଏ ପଟେ ହେମନ୍ତ ସୋରେନଙ୍କ ଉପରେ ଅଫିସ ଅଫ୍ ପ୍ରଫିଟ ଭଳି ଅଭିଯୋଗ ଆସିବା ପରେ ଅଡୁଆରେ ପଡିଛନ୍ତି ହେମନ୍ତ । ସେପଟେ ଯଦି ଏଭଳି କିଛି ହେଉଛି ତେବେ ଝାଡଖଣ୍ଡବାସୀ ପ୍ରଥମଥର ପାଇଁ ରାଜ୍ୟର ମହିଳା ମୁଖ୍ୟମନ୍ତ୍ରୀ ଦେଖିବାକୁ ପାଇବେ । ହେମନ୍ତ ସୋରେନଙ୍କ ନାମରେ ଏଭଳି ଅଭିଯୋଗ ଆସିବା ପରେ ଦଳ ପକ୍ଷରୁ କିଛି ଖୋଲାଖୋଲି ମନ୍ତବ୍ୟ ଆସୁନଥିଲେ ମଧ୍ୟ ବିରୋଧୀ ବିଜେପି ଏନେଇ ଉଭୟ କଂଗ୍ରେସ ଓ ଜେଏମଏମ ଉପରେ ବର୍ଷିବାରେ ଲାଗିଛି ।

ଅନ୍ୟପଟେ ଆମେ ଝାଡଖଣ୍ଡ ବିଧାନସଭାର ସ୍ଥିତିକୁ ଅନୁଧ୍ୟାନ କଲେ ରାଜ୍ୟ ବିଧାନସଭାର ମୋଟ ୮୧ ଟି ଆସନ ରହିଛି । ଏହା ମଧ୍ୟରୁ ଜେଏମଏ-୩୦, ଜାତୀୟ କଂଗ୍ରେସ ୧୬ ଓ ଆରଜେଡି ୧ ବିଧାନସଭା ଆସନ ଜିତିଛି । ଏହି ୩ ଦଳ ୪୭ ଜଣ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିଛନ୍ତି ।ସେପଟେ ଏନଡିଏ ମେଣ୍ଟରୁ ବିଜେପି ୨୫, ଝାରଖଣ୍ଡ ବିକାଶ ମୋର୍ଚ୍ଚା ୩, ଅଲ ଝାରଖଣ୍ଡ ଷ୍ଟୁଡେଣ୍ଟ ୟୁନିୟନ ୨, ଜାତୀୟତାବାଦୀ କଂଗ୍ରେସ ୧ , ବାମଦଳ ୧ ଓ ୨ ଜଣ ସ୍ୱାଧୀନ ବିଧାୟକ ରହିଛନ୍ତି । ଏନଡିଏ ସମର୍ଥନରେ ୩୦ ଜଣ ବିଧାୟକ ରହିଛନ୍ତି । ଏନଡିଏକୁ ସରକାର ଗଠନ କରିବାକୁ ହେଲେ ୧୧ ଜଣ ବିଧାୟକଙ୍କର ଆବଶ୍ୟକତା ରହିଛି । ଏହାରି ମଧ୍ୟରେ କଂଗ୍ରେସ ଓ ଜେଏମଏମ ଭିତରେ ସଂପର୍କ ଠିକ୍ ନଥିବାରୁ ହେମନ୍ତ ସୋରେନ ୟୁପିଏ ମେଣ୍ଟ ଭାଙ୍ଗି ଏନଡିଏରେ ସାମିଲ ହୋଇ ପାରନ୍ତି ଓ ନିଜ ପତ୍ନୀ କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ କରିପାରନ୍ତି ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଉଛନ୍ତି ।

Related Posts