ରାଞ୍ଚି(ସତ୍ୟପାଠ ବ୍ୟୁରୋ) : ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ୁଲାଣି ମାଓ ଗଡ଼। କାଁ ଭାଁ କେଉଁଠି ଛପି ଥିଲେ, ସେମାନେ ବି ମୁଖ୍ୟସ୍ରୋତରେ ସାମିଲ ପାଇଁ ଆଗେଇ ଆସୁଛନ୍ତି। ଦେଶକୁ ସମ୍ପୂର୍ଣ୍ଣ ମାଓ ମୁକ୍ତ କରିବା କେନ୍ଦ୍ର ସରକାରଙ୍କ ଏକ ବଡ଼ ସଫଳତା ବୋଲି କୁହାଯାଇପାରେ। ଝାଡ଼ଖଣ୍ଡରେ ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା । ନିଷିଦ୍ଧ ସଂଗଠନ ସିପିଆଇ (ମାଓବାଦୀ) ସହ ଜଡିତ ୧୮ ଜଣ ନକ୍ସଲ ହିଂସାର ପଥ ଛାଡ଼ି ମୁଖ୍ୟଧାରାକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁସାରେ, ସେମାନେ ସୁରକ୍ଷା ଏଜେନ୍ସି ସହ ଯୋଗାଯୋଗ କରି ଆତ୍ମସମର୍ପଣ ପାଇଁ ପ୍ରସ୍ତୁତ ହୋଇଛନ୍ତି । ଝାଡ଼ଖଣ୍ଡରେ ମାଓବାଦୀ ବିରୋଧୀ ଅଭିଯାନ ଲଗାତାର ଜାରି ରହିଛି । ଏହି ଅଭିଯାନ ମଧ୍ୟରେ ମିଳିଛି ଆଉ ଏକ ବଡ଼ ସଫଳତା। ସୂତ୍ର ଅନୁସାରେ, ସିପିଆଇ (ମାଓବାଦୀ) ସଂଗଠନର ୧୮ ଜଣ ସକ୍ରିୟ ନକ୍ସଲ ହିଂସାର ପଥ ଛାଡ଼ି ସାଧାରଣ ଜୀବନକୁ ଫେରିବାକୁ ମନସ୍ଥ କରିଛନ୍ତି । ସେମାନେ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରିଥିବା ସୂଚନା ମିଳିଛି । ଏହି ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ରହିଛନ୍ତି ୧୫ ଲକ୍ଷ ପୁରସ୍କାର ଘୋଷିତ ଜଣେ ଜୋନାଲ କମାଣ୍ଡର । ଏହା ସହ ୫ ଲକ୍ଷରୁ ୧୦ ଲକ୍ଷ ପୁରସ୍କାର ଥିବା ଅନେକ ସକ୍ରିୟ ମାଓବାଦୀ ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଆଞ୍ଚଳିକ କମାଣ୍ଡର ଏବଂ ଜଣେ ଉପ-ଜୋନାଲ କମାଣ୍ଡର ମଧ୍ୟ ଥିବା ସୂଚନା ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୧ କୋଟି ପୁରସ୍କାର ଘୋଷିତ କୁଖ୍ୟାତ ମାଓ ନେତା ମିସିର ବେସରାଙ୍କ ଅଙ୍ଗରକ୍ଷୀ ଶନିଚର ମଧ୍ୟ ଏହି ଗୋଷ୍ଠୀରେ ସାମିଲ ଥିବା ଜଣାପଡ଼ିଛି । ଏହାକୁ ମାଓ ସଂଗଠନ ପାଇଁ ବଡ଼ ଝଟକା ବୋଲି ଦେଖାଯାଉଛି। ସୂଚନା ଅନୁସାରେ, ଆସନ୍ତା ୨୮ ଜୁଲାଇରେ ରାଞ୍ଚିସ୍ଥିତ ପୁଲିସ ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ଏହି ନକ୍ସଲମାନେ ଆତ୍ମସମର୍ପଣ କରିପାରନ୍ତି। ସେହି ସମୟରେ ସେମାନେ ବ୍ୟବହାର କରୁଥିବା ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ମଧ୍ୟ ପୋଲିସକୁ ହସ୍ତାନ୍ତର କରିବେ ବୋଲି ସୂଚନା ରହିଛି। ବର୍ତ୍ତମାନ ସମସ୍ତ ଆତ୍ମସମର୍ପଣକାରୀ ନକ୍ସଲଙ୍କୁ ଏକ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ଆନୁଷ୍ଠାନିକ କାର୍ଯ୍ୟକ୍ରମ ପରେ ସେମାନଙ୍କ ପରିଚୟ ଏବଂ ସଂଗଠନରେ ସେମାନଙ୍କ ଭୂମିକା ସମ୍ପର୍କରେ ବିସ୍ତୃତ ତଥ୍ୟ ସାର୍ବଜନୀନ କରାଯିବ। ଗତ କିଛି ବର୍ଷ ଧରି ଝାଡ଼ଖଣ୍ଡ ପୋଲିସ, କେନ୍ଦ୍ରୀୟ ସୁରକ୍ଷା ବାହିନୀ ଓ ଅନ୍ୟାନ୍ୟ ଏଜେନ୍ସିଙ୍କ ମିଳିତ ଅଭିଯାନରେ ମାଓବାଦୀ ସଂଗଠନ ଦୁର୍ବଳ ହୋଇପଡ଼ିଛି। ଏହା ସହ ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଓ ପୁନର୍ବାସ ନୀତି ମଧ୍ୟ ଅନେକ ନକ୍ସଲଙ୍କୁ ହିଂସାର ପଥ ଛାଡ଼ି ସାଧାରଣ ଜୀବନକୁ ଫେରିବା ପାଇଁ ପ୍ରେରିତ କରୁଛି।
