ଫସିଯିବେ କି ବବି?, ନାମାଙ୍କନରେ ଗୁରୁତର ତ୍ରୁଟି ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର,୦୭/୫(ସତ୍ୟପାଠ ବ୍ୟୁରୋ):     ସମ୍ୱଲପୁର ବିଜେଡି ଲୋକସଭା ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ୍‌ ବବିଙ୍କର ଶିକ୍ଷାଗତ ଯୋଗ୍ୟତା କ’ଣ? ଏହାକୁ ନେଇ ଏବେ ଉଠିଛି ପ୍ରଶ୍ନ | କାରଣ ଦୁଇଟି ନିର୍ବାଚନରେ ଭିନ୍ନଭିନ୍ନ ସତ୍ୟପାଠ ଦାଖଲ କରିଛନ୍ତି ବବି। ୨୦୦୯ ନିର୍ବାଚନରେ ଦାଖଲ କରିଥିବା ସତ୍ୟପାଠରେ ବବି +୨ କଳା ପାସ୍‌ ଲେଖିଥିବା ବେଳେ ୨୦୨୪ ସାଧାରଣ ନିର୍ବାଚନ ବେଳେ +୨ ବିଜ୍ଞାନ ବୋଲି ଲେଖିଛନ୍ତି। ଏଭଳି ଗୁରୁତର ଅଭିଯୋଗ ଆଣି ଏହାକୁ ହାସ୍ୟସ୍ପଦ ବୋଲି କହିଛନ୍ତି ବିଜେପି ନେତା ତଥା ବରିଷ୍ଠ ଆଇନ୍‌ଜୀବୀ ପୀତାମ୍ୱର ଆଚାର୍ଯ୍ୟ। ଏଥିସହ ବବି ନିଜର ଆୟକୁ ମଧ୍ୟ ଲୁଚାଇଥିବା ପିତାମ୍ବର ଅଭିଯୋଗ କରିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ୨୦୦୯ ନିର୍ବାଚନ ସମୟରେ ପ୍ରଣବ ପ୍ରକାଶ ଦାସ ନିଜର ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ କଳା ପାସ କରିଥିବା ସତ୍ୟପାଠରେ ଲେଖିଥିଲେ। ହେଲେ ୨୦୨୪ରେ ସେ ନିଜକୁ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ବୋଲି ଲେଖିଛନ୍ତି। ସେହିପରି ଦ୍ୱିତୀୟ ଅଭିଯୋଗଟି ହେଉଛି, ବବି ନିଜର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାବଦରେ ନିର୍ବାଚନୀ ସତ୍ୟପାଠରେ ସମ୍ପୂର୍ଣ୍ଣ ତଥ୍ୟ ଦେଇନାହାନ୍ତି। 

ଏନେଇ ଅଧିକ ସୂଚନା ଦେଇ ପିତାମ୍ବର କହିଛନ୍ତି ଯେ, ୨୦୧୯-୨୦ ଆର୍ଥକ ବର୍ଷ ପାଇଁ ବିବ ନିଜର ଆୟ ଜିରୋ ବୋଲି ଦର୍ଶାଇଛନ୍ତି। ସେ ବିଧାୟକ ଭାବେ ଦରମା ଓ ଅନ୍ୟାନ୍ୟ ଭତ୍ତା ପାଉଛନ୍ତି। ସତ୍ୟପାଠରେ ସେ ୪ ବର୍ଷର ଆୟ ଦର୍ଶାଇଥିବା ବେଳେ ଗୋଟିଏ ବର୍ଷର ଆୟ ଲୁଚାଇଛନ୍ତି। ଏହା ହେଉଛି ଏକ ଗୁରୁତର ତ୍ରୁଟି। ଏନେଇ ବିଜେପିର ଇଲେକସନ୍‌ ଏଜେଣ୍ଟ ତଥା ଆଇନଜୀବୀ ପ୍ରଦୀପ ବହିଦାର ରିଟର୍ଣ୍ଣି ଅଫିସରଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରିଥିଲେ ସୁଦ୍ଧା ରିଟର୍ଣ୍ଣି ଅଫିସର ସମ୍ପୂର୍ଣ୍ଣ ଏକତରଫା ଭାବେ ମିଥ୍ୟା ସତ୍ୟପାଠ ଗ୍ରହଣ କରିଥିବା କହିଛନ୍ତି ପିତାମ୍ବର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମିଥ୍ୟା ସତ୍ୟପାଠ ଆଧାରରେ ମାନ୍ୟବର ସୁପ୍ରିମକୋର୍ଟ ଓ ହାଇକୋର୍ଟ ଅନେକ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ନିର୍ବାଚନକୁ ଖାରଜ କରିଛନ୍ତି। ଓଡ଼ିଶା ହାଇକୋର୍ଟ ପୂର୍ବରୁ ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂ ଓ କଟକର ପୂର୍ବତନ ବିଧାୟକଙ୍କ ନିର୍ବାଚନକୁ ଭୁଲ ସତ୍ୟପାଠ ପାଇଁ ଖାରଜ କରିଛନ୍ତି। ଏନେଇ ବିଜେପି ଆଗକୁ ଆଇନର ଆଶ୍ରୟ ନେବ ବୋଲି ପିତାମ୍ବର କହିଛନ୍ତି।

ତେବେ ବବିଙ୍କ ନାମାଙ୍କନରେ ଏଭଳି ଗୁରୁତର ତ୍ରୁଟି ନେଇ ଅଭିଯୋଗ ଆସିବା ପରେ ଆଗକୁ ତାଙ୍କର ଅଡୁଆ ବଢିବ ବୋଲି ଚର୍ଚ୍ଚା ହେଉଛି | ତେବେ ଏନେଇ ବବି କିମ୍ବା ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ |

Related Posts