ରାଜ୍ୟରେ ଆହୁରି ବଢିବ ଶୀତ: ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ଆରମ୍ଭ ହୋଇଯାଇଛି ଶୀତର ପ୍ରକୋପ । ଥରୁଛି ଏବେ ସାରା ଓଡିଶା । ଉପକୂଳରୁ ଆଭ୍ୟନ୍ତରୀଣ ସବୁଆଡେ ପ୍ରବଳ ଶୀତ ଅନୁଭୂତ ହେଉଛି । କୋରାପୁଟ ଜିଲ୍ଲା ଶିମିଳିଗୁଡାରେ ସୁବୁଠୁ ଅଧିକ ଥଣ୍ଡା ହେଉଛି । ସେଠାରେ ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ଜି.ଉଦୟଗିରି ୮ଡିଗ୍ରୀ , ଫୁଲବାଣୀ ଏବଂ କୋରାପୁଟରେ ୧୦ ଡିଗ୍ରୀ ରେକର୍ଡ ହୋଇଛି ।

ରାଜ୍ୟର ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବ । ଆସନ୍ତା ୫ ଦିନ ଯାଏ ପାଗ ଏଭଳି ରହିବ । ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଅଧିକ ଶୀତ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡି ଦେଖାଦେବ ।

ସେପଟେ ଦକ୍ଷିଣ ଆଣ୍ଡାମାନ ସାଗର ନିକଟରେ ଥିବା ଘୁର୍ଣ୍ଣିବଳୟ ଘନେଇବାରେ ଲାଗୁଚି। ଆସନ୍ତା ୨୪ ଘଣ୍ଟାରେ ଏହା ଲଘୁଚାପ କ୍ଷେତ୍ରର ରୂପ ନେବ। କ୍ରମେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୪୮ ଘଣ୍ଟାରେ ଅବପାତରେ ପରିଣତ ହେବ। କିନ୍ତୁ ଓଡ଼ିଶା ଉପରେ ଏହା ପ୍ରଭାବ ପଡିବନି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

Related Posts