୨୦୨୩ ମାର୍ଚ୍ଚ ମାସରୁ ଆରମ୍ଭ ମହିଳା ଆଇପିଏଲ

ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଏବେ କେବଳ ଭାରତ ନୁହେଁ ବିଶ୍ବ କ୍ରିକେଟରେ ଏକ ବିପ୍ଲବ ଆଣିପାରିଛି । ଅନେକ ଖେଳାଳିଙ୍କୁ ସାମିଲ୍ କରିଛି ଏହି ଖେଳ । ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିବାର ଆଉ ଏକ ସଂଭାବନା ସୃଷ୍ଟି କରିଛି । ତେବେ ଏବେ ବିଶ୍ବ କ୍ରିକେଟରେ ଆଉ ଏକ ବିପ୍ଳବ ଆଣିବାକୁ ଯାଉଛି ଆଇପିଏଲ ।

ଆସନ୍ତା ବର୍ଷ ଅର୍ଥାତ ୨୦୨୩ ମାର୍ଚ୍ଚ ମାସରୁ ଆରମ୍ଭ ହେବ ମହିଳା ଆଇପିଏଲ । ଏ ନେଇ ବିସିସିଆଇର ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ପ୍ରଥମ ମହିଳା ଆଇପିଏଲ ୫ଟି ଦଳକୁ ନେଇ ଖେଳାଯାଇପାରେ । ତେବେ ଦଳ ସଂଖ୍ୟା ୬ ମଧ୍ୟ ହୋଇପାରେ । ଆସନ୍ତା ବର୍ଷ ଫେବ୍ରୁଆରି ୯ରୁ ୨୬ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ମହିଳା ଟି-୨୦ ବିଶ୍ବକପ୍ ପରେ ଏହି ଆଇପିଏଲ ଆରମ୍ଭ ହେବ ।

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସଚିବ ଜୟ ଶାହା ମଧ୍ୟ ପୂର୍ବରୁ ମହିଳା ଆଇପିଏଲ ଆରମ୍ଭ ହେବା ସଂପର୍କରେ ସଂକେତ ହେଇଥିଲେ । ଗଣମାଧ୍ୟମକୁ ଗାଙ୍ଗୁଲି କହିଥିଲେ ଯେ ମହିଳା ଆଇପିଏଲ ଆରମ୍ଭ ପାଇଁ ୨୦୨୩ ଏକ ଭଲ ସମୟ ହେବ । ପୁରୁଷ ଆଇପିଏଲ ପରି ଏହା ମଧ୍ୟ ବେଶ ଲୋକପ୍ରିୟ ହେବ ବୋଲି ତାଙ୍କର ଆଶା ।

କ୍ରିକେଟ ବିଶେଷଜ୍ଞଙ୍କ ମତରେ ମହିଳା ଆଇପିଏଲ ଆରମ୍ଭ ହେଲେ ତାହା ମହିଳା କ୍ରିକେଟର ବିକାଶରେ ସହାୟକ ହେବ । ବିଶେଷକରି ମହିଳା କ୍ରିକେଟ ଖେଳାଳିଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ ।

Related Posts