
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କିଟ୍ ଛାତ୍ରୀ ମୃତ୍ୟୁକୁ ନେଇ ବଢିଲା ସନ୍ଦେହ । ହତ୍ୟା ନା ଆତ୍ମହତ୍ୟା ଏ ଯାଏଁ ସ୍ପଷ୍ଟ ହୋଇନାହିଁ ।କିଟ୍ରେ ଛାତ୍ରୀ ମୃତ୍ୟୁକୁ ୩ ମାସ ପୁରିନି ପୁଣି ଆଉ ଜଣେ ନେପାଳୀ ଛାତ୍ରୀଙ୍କ ଚାଲିଯାଇଛି ଜୀବନ । ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରୀଙ୍କ ମୃତଦେହ । ତେବେ ବର୍ତ୍ତମାନ ପ୍ରଶ୍ନ ଉଠିଛି, କାଲି ହଷ୍ଟେଲ ଭିତରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କଲା କିଏ ? ପୋଲିସ ନା କିଟ୍ କର୍ମଚାରୀ ? କାରଣ ଇନଫୋସିଟି ଥାନାର କନେଷ୍ଟବଳ ନିରାକାର ଖଟୁଆଙ୍କ କହିବା କଥା, ପୋଲିସ କିମ୍ସ ମେଡିକାଲ ଏମରଜେନ୍ସିରୁ ମୃତଦେହକୁ ଧରି ଭୁବନେଶ୍ୱର ଏମ୍ସସକୁ ବ୍ୟବଚ୍ଛେଦ ପାଇଁ ଆଣିଥିଲେ ।
ଏହାର ଅର୍ଥ ହଷ୍ଟେଲ ଭିତରୁ ସମ୍ପୃକ୍ତ ଛାତ୍ରୀଙ୍କ ମୃତଦେହ ପୋଲିସ ନୁହେଁ ବରଂ କିଟ୍ କର୍ମଚାରୀ ଉଦ୍ଧାର କରିଥିଲେ କି ? ତେବେ କେଉଁ ଆଧାରରେ ପୋଲିସ ବଦଳରେ ଝୁଲନ୍ତା ଅବସ୍ଥାରେ ଥିବାବେଳେ ଛାତ୍ରୀଙ୍କୁ ଉଦ୍ଧାର କଲେ କିଟ୍ କର୍ମଚାରୀ ? ସେନେଇ ଅନେକ ପ୍ରଶ୍ନ ଉଠୁଛି । ସେହିପରି ଏହା ହତ୍ୟା ନା ଆତ୍ମହତ୍ୟା ଏ ଯାଏଁ ସ୍ପଷ୍ଟ ହୋଇନାହିଁ ।ଅନ୍ୟପଟେ ଏହି ଛାତ୍ରୀ ମୃତ୍ୟୁକୁ ନେଇ ପୋଲିସ କମିଶନର ଏସ୍ ଦେବଦତ୍ତ କହିଛନ୍ତି, ଛାତ୍ରୀ ରୁମରେ ଏକାଥିଲେ ଏବଂ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲେ । ରୁମରେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି । ହଷ୍ଟେଲର ଅନ୍ୟ ଝିଅମାନଙ୍କୁ ପଚରାଉଚରା କରାଯାଉଛି । ମୃତ ଛାତ୍ରୀ ନେପାଳ ବୀରଗଞ୍ଜର ପ୍ରୀସା ଶାହା । କିଟ୍ ବିଶ୍ୱବିଦ୍ୟାଳୟରେ ବିଟେକ୍ ପ୍ରଥମ ବର୍ଷର ଛାତ୍ରୀ ଥିଲେ । ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ହଷ୍ଟେଲ ରୁମରୁ ମୃତଦେହ ଉଦ୍ଧାର ହୋଇଥିଲା ।ତେବେ କେଉଁ ପରିସ୍ଥିତିରେ ଛାତ୍ରୀଙ୍କ ମୃତ୍ୟୁ ହେଲା ଏଯାଏଁ ଜଣାପଡ଼ି ନାହିଁ । ହତ୍ୟା କି ଆତ୍ମହତ୍ୟା ତାହା ବି ସ୍ପଷ୍ଟ ହୋଇନାହିଁ । ଏହି ଘଟଣାକୁ ନେଇ କିଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।ଆଜି ମୃତ ଛାତ୍ରୀ ପ୍ରୀସାଙ୍କ ପରିବାର ଲୋକ ଭୁବନେଶ୍ୱରରେ ପହଞ୍ଚିବା ପରେ ଏମ୍ସରେ ମୃତଦେହର ବ୍ୟବଚ୍ଛେଦ ହେବ । ପ୍ରାୟ ଅଢ଼େଇ ମାସ ତଳେ କିଟ୍ କ୍ୟାମ୍ପସରେ ହୋଇଥିଲା ଛାତ୍ରୀ ମୃତ୍ୟୁ । ଫେବ୍ରୁଆରୀ ୧୬ରେ ଆତ୍ମହତ୍ୟା କରିଥିଲେ ନେପାଳୀ ଛାତ୍ରୀ ‘ପ୍ରକୃତି’ । ପ୍ରାୟ ଅଢ଼େଇ ମାସ ପରେ ଏବେ ପୁଣି ଜଣେ ଛାତ୍ରୀ ମୃତ୍ୟୁକୁ ନେଇ ସାର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।