ଅଯୋଧ୍ୟା(ସତ୍ୟପାଠ ବ୍ୟୁରୋ) : ରାମ ମନ୍ଦିରରେ ଦାନ ଅର୍ଥ ଚୋରି ହେବା ପରେ, ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଶାସନିକ ଢାଞ୍ଚାରେ ବଡ଼ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା ତୀବ୍ର ହୋଇଛି। ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଡକ୍ଟର ଅନିଲ ମିଶ୍ରଙ୍କ ଇସ୍ତଫା ଏହି ବିତର୍କକୁ ଆହୁରି ଖୋରାକ ଯୋଗାଇଛି। ପୂର୍ବରୁ ଖାଲି ଥିବା ଟ୍ରଷ୍ଟି ପଦବୀ ସହିତ ସେମାନଙ୍କର ଇସ୍ତଫା ତିନୋଟି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ରଖିବ। ଏପରି ପରିସ୍ଥିତିରେ, ବର୍ତ୍ତମାନର ଟ୍ରଷ୍ଟକୁ ଭଙ୍ଗ କରି ପୁନଃଗଠିତ କରାଯାଇପାରେ। ସୂଚନାଯୋଗ୍ୟ ଯେ, ଫେବ୍ରୁଆରି ୨୦୨୦ରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପାଳନ କରି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଗଠନ କରିଥିଲେ। ମହନ୍ତ ଗୋପାଳ ଦାସ ଟ୍ରଷ୍ଟର ସଭାପତି ଭାବେ ଦାୟିତ୍ବ ନେଇଥିଲେ। ସେହିପରି ସାଧାରଣ ସମ୍ପାଦକ ବନିଥିଲେ ଚମ୍ପତ ରାୟ । ସେ ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ ପରିଚାଳନା କରୁଥିଲେ। ଟ୍ରଷ୍ଟି ଡକ୍ଟର ଅନୀଲ ମିଶ୍ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବରେ ଥିଲେ। ଉଭୟ ପଦବି ଖାଲି ଥିବାରୁ ଟ୍ରଷ୍ଟର କାର୍ଯ୍ୟ ପ୍ରଭାବିତ ହେବା ଆଶଙ୍କା ରହିଛି। ତେବେ ଟ୍ରଷ୍ଟର ପୁନର୍ଗଠନ ନେଇ ଚର୍ଚ୍ଚା ହେଉଥିବାବେଳେ ଏ ନେଇ ଜଣେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତ ହୋଇପାରନ୍ତି। ଏଥର ତିରୁପତି ଏବଂ ବୈଷ୍ଣୋଦେବୀ ମନ୍ଦିର ବୋର୍ଡ ପରି ଗଠନ ହୋଇପାରେ ବୋଲି କୁହାଯାଉଛି।