
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିବାହର ୧୮ ବର୍ଷ ପରେ ଛାଡ଼ପତ୍ର ନେଲେ ଅଲିମ୍ପିକ ପଦକ ବିଜେତା ବକ୍ସର ମେରି କମ । ତେବେ କାରୁଙ୍ଗ ଅନଲରଙ୍କ ଠାରୁ ଛାଡପତ୍ରକୁ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରିଛନ୍ତି । ଏକ ବୟାନରେ ମେରି କମ୍ କହିଛନ୍ତି ଯେ ୨୦୨୩ ଡିସେମ୍ୱର ୨୦ରେ ପରସ୍ପରର ସହମତିରେ କମ୍ ପ୍ରଥା ଅନୁଯାୟୀ ଛାଡ଼ପତ୍ର ହୋଇଛି । ଦୁହେଁ ୨୦୦୫ ମସିହାରେ ବିବାହ କରିଥିଲେ । ମେରି କମଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଖବର ପ୍ରଚାର ହେବା ପରେ ସେ ଏହା ଉପରେ ମୁହଁ ଖୋଲିଛନ୍ତି ।
ଛାଡ଼ପତ୍ରର ପ୍ରାୟ ୧୬ ମାସ ପରେ ଏବେ ସେ ଏହା ଘୋଷଣା କରିଛନ୍ତି । ଅନ୍ୟପଟେ ଦାବି କରାଯାଇଥିଲା ଯେ ମେରି କମ୍ଙ୍କ ସମ୍ପର୍କ ତାଙ୍କ ବିଜନେସ୍ ପାର୍ଟନର ହିତେଶ ଚୌଧୁରୀଙ୍କ ସହ ରହିଛି । ମେରି କମ୍ ଫାଉଣ୍ଡେସନର ଅଧ୍ୟକ୍ଷ ଅଛନ୍ତି ହିତେଶ । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ମେରି କମ୍ ଏକ ଆଇନଗତ ନୋଟିସକୁ ସେୟାର କରିଛନ୍ତି । ନୋଟିସରେ ସ୍ପଷ୍ଟ କରାଯାଇଛି ଯେ ତାଙ୍କ ଛାଡ଼ପତ୍ର ସୌହାର୍ଦପୂର୍ଣ୍ଣ ଭାବେ ଅନେକ ମାସ ପୂର୍ବରୁ ହୋଇସାରିଛି ଓ ଏବେ ସେ ଏଥିରୁ ଆଗରୁ ବଢିସାରିଛନ୍ତି । ସେ ନିଜ ପୂର୍ବ ବିବାହ ଉପରେ କୌଣସି ଟିପ୍ପଣୀ କରିବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି ।