ନୂଆଦିଲ୍ଲୀ() ଶୁକ୍ରବାରଠୁ ଆରମ୍ଭ ହୋଇଛି ମହିଳା ଟିଟ୍ୱେଣ୍ଟି ବିଶ୍ୱକପ୍ । ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ବୃହତ୍ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଗ୍ରୁପ୍-୨ର ଏହି ମ୍ୟାଚ୍‌ରେ ଇଂଲଣ୍ଡ ୮୭ରନ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । ଡାନି ୱାଟ୍-ହଜ୍ ଅପରାଜିତ ଶତକ ଓ ଫ୍ରେୟା କେମ୍ପ ୪ଟି ୱିକେଟ୍ ନେଇ ଦଳକୁ ଜିତାଇଥିଲେ । ୬୨ ବଲରେ ୧୦୫ ରନର ଦମଦାର ପାଳିଖେଳିଥିବା ୱାଟ୍-ହଜ୍ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ବ୍ୟାଟିଂ ଆମନ୍ତ୍ରଣ ପାଇ ଇଂଲଣ୍ଡ ୧ ୱିକେଟ୍ ବିନିମୟରେ ୨୧୯ ରନ୍ ସଂଗ୍ରହ କରିଥିଲା । ଓପନିଂ ଯୋଡ଼ି ଆମି ଜୋନ୍ସ ଓ ୱାଟ୍-ହଜ୍ ରେକର୍ଡ ବିସ୍ଫୋରକ ବ୍ୟାଟିଂ କରି ୧୩୫ରନ୍‌ର ଭାଗିଦାରୀ ଗଠନ କରିଥିଲେ । ଜୋନ୍ସ ୫୩ ରନ୍ କରି ଆଉଟ୍ ହୋଇଥିଲେ । ଅଧିନାୟିକା ନାଟ୍ ସ୍କିଭର ବ୍ରଣ୍ଟ୍ କ୍ରିଜ୍‌ରେ ଯୋଗଦେଇ ୱାଟ୍-ହଜ୍‌ଙ୍କ ସହ ମିଶି ସ୍କୋରକୁ ୧/୨୧୯ରେ ପହଞ୍ଚାଇ ଦେଇଥିଲେ । ୱାଟ୍ ହଜ୍ ୬୨ ବଲ୍‌ରେ ୧୦୫ (୧୩ଚୌକା, ୧ଛକା) ଓ ସ୍କିଭର-ବ୍ରଣ୍ଟ ୪୪ (୬ଚୌକା, ୧ଛକା) ରନ୍ କରି ଅପରାଜିତ ଥିଲେ । ୨୨୦ରନ୍ ବିଜୟ ଲକ୍ଷ୍ୟର ପିଛା କରି ଶ୍ରୀଲଙ୍କା ୧୩୨ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ନୀଳକ୍ଷିକା ସର୍ବାଧିକ ୩୭ରନ୍ କରିଥିଲେ । ଇଂଲଣ୍ଡ ପକ୍ଷରୁ କେମ୍ପ ୪ଟି ୱିକେଟ୍ ନେଇଥିଲେ ।